ମୁଖ୍ୟ ଖବର
ଭୁବନେଶ୍ୱର : ଭକ୍ତବସôଳ, ଭାବ ବିନୋଦିଆ ଜଗତର ନାଥ ଜଗନ୍ନାଥ । ଅପୂର୍ବ ଓ ଅନୁପମ ତାଙ୍କ ଦିବ୍ୟ ଲୀଳାଖେଳା । ମଣିଷଙ୍କ ଭଳି ଭଗବାନଙ୍କୁ ମଧ୍ୟ ଜ୍ୱର ହୁଏ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ୧୫ ଦିନ ଜ୍ୱରରେ ପଡନ୍ତି ମହାପ୍ରଭୁ । କିମ୍ବଦନ୍ତୀ ଅନୁସାରେ ଏହାର କାରଣ ମଧ୍ୟ ରହିଛି । ମହାପ୍ରଭୁ ଜଗନ୍ନାଥ ସବୁବେଳେ ଭକ୍ତର । ଭଗବାନ କହିଛନ୍ତି ଯଦି ଭକ୍ତର ଦେହ ଖରାପ ହେଉଛି, ତେବେ ମୋର କାହିଁକି ନୁହେଁ । ଏହି କଥା ପ୍ରଭୁ ଜଗନ୍ନାଥ ଓ ତାଙ୍କ ଭକ୍ତ ମାଧବ ଦାସଙ୍କର । ଭକ୍ତ ମାଧବ ଦାସ ଜଗନ୍ନାଥଙ୍କ ଭଜନରେ ମଗ୍ନ ରହୁଥିଲେ । ସର୍ବଦା ସେ ଜଗନ୍ନାଙ୍କୁ ଦର୍ଶନ କରୁଥିଲେ । ସଂସାର ପ୍ରତି ତାଙ୍କର କୌଣସି ମୋହ, ମାୟା ନଥିଲା । ଦିନେ ସେ ଭୀଷଣ ଜ୍ୱରରେ ପଡିଲେ । ନିଜ ନିତ୍ୟକର୍ମ ମଧ୍ୟ କରିପାରିଲେ ନାହିଁ । ମଳ ମୂତ୍ର ବସ୍ତ୍ରରେ କରିବାକୁ ଲାଗିଲେ । ଅନ୍ୟମାନଙ୍କୁ ତାଙ୍କ ସେବା କରିବାକୁ ମନା କରୁଥିଲେ । ଏହା ଦେଖି ଭକ୍ତ ଭାବରେ ବନ୍ଧା ମହାପଭୁ ସହିପାରିଲେ ନାହିଁ । ନିଜେ ସେବା କରିବାକୁ ଚାଲି ଆସିଲେ ।
ଧିରେଧିରେ ଭକ୍ତ ମାଧବ ଭଲ ହେଲେ, ସେ ମହାପ୍ରଭୁଙ୍କୁ ତାଙ୍କ ସେବା କରୁଥିବାର ଦେଖି ଚମକି ପଡିଲେ ଓ କହିଲେ ପ୍ରଭୁ ଆପଣଙ୍କ ସେବା ସାରା ଦୁନିଆ କରୁଛି । ଆପଣ କାହିଁକି ମୋ ସେବା କରୁଥିଲେ । ଆପଣ ମୋ ରୋଗ ବରଂ ଭଲ କରି ଦେଇଥାନ୍ତେ । ମହାପ୍ରଭୁ କହିଲେ ମୁଁ ମୋ ଭକ୍ତର ଦୁଃଖ ସହିପାରେ ନାହିଁ । ମଣିଷ ଯାହା ଭୋଗେ ତା ନୀୟତିରେ ଲେଖା ହୋଇଥାଏ । ଏମିତିରେ ତୁମ ଭାଗ୍ୟରେ ମଧ୍ୟ ଆଉ ୧୫ ଦିନ ଜ୍ୱର ଭୋଗିବାର ଲେଖା ଅଛି । ତେଣୁ ସେହି ୧୫ଦିନକୁ ମୁଁ ନେଇଯାଉଛି । ଏହା ହେଉଛି ଧନ୍ୟ ମହାପ୍ରଭୁଙ୍କ କିମ୍ବଦନ୍ତୀ ବର୍ଣ୍ଣିତ କଥା ।
ପ୍ରସ୍ତୁତି: ଇପ୍ସିତା ନାୟକ
Comments ସମସ୍ତ ମତାମତ