ମୁଖ୍ୟ ଖବର
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହେବ। ମେ ୨୮ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା କରାଯିବ । ସକାଳ ୯ଟାରୁ ୧୨ଟା ଯାଏ ପରୀକ୍ଷା ଚାଲିବ। ଅପରପକ୍ଷରେ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ପଦ୍ଧତି ଗ୍ରହଣ କରାଯିବ । ପ୍ରଥମଟି ହେଲା- କଲେଜ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ପ୍ରାଧାନ୍ୟ ଦିଆଯିବ । ଏଥିପାଇଁ ତିନିଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦ ପ୍ରତିଶତ ପ୍ରାଧାନ୍ୟ ଦିଆଯିବ । ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପ୍ରାଧାନ୍ୟ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ । ଦ୍ୱିତୀୟଟି ହେଲା- କେବଳ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୧୦୦ ପ୍ରତିଶତ ପ୍ରାଧାନ୍ୟ ଦିଆଯିବ । ଏହି ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଫର୍ମପୂରଣ ଲାଗି +୨ ପରିଷଦ ପକ୍ଷରୁ ପୁଣି ୨ ଦିନ ସମୟ ରଖିଥିବାରୁ ଚଳିତବର୍ଷ ମୋଟ୍ କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ତାହା ସ୍ପଷ୍ଟ ହୋଇପାରିନାହିଁ ।
Comments ସମସ୍ତ ମତାମତ