ମୁଖ୍ୟ ଖବର
କୋହିମା: ନାଗାଲ୍ୟାଣ୍ଡରେ ବିରୋଧୀ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି(ଏନ୍ଡିପିପି) ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ବିଜେପି ଏଥର ଶାସନ କରିବ ବୋଲି ଜଣାଯାଇଛି । ଏଥି ସହିତ ଦୀର୍ଘ ୧୫ ବର୍ଷ ଧରି ଶାସନରେ ଥିବା ନାଗା ପିପୁଲ୍ସ ଫ୍ରଣ୍ଡ୍ (ଏନ୍ପିଏଫ୍)କୁ ବିରୋଧୀ ଆସନରେ ବସିବାକୁ ହେବ । ଗତ ନିର୍ବାଚନ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଟି ଆର୍ ଜେଲିଆଙ୍ଗ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କ ମଧ୍ୟରେ ହୋଇଥିଲା ବେଳେ ଏନ୍ଡିପିପି ପରି ନିଜସ୍ୱ ନୂଆଦଳ ଗଢିଥିବା ନେଇ ଫିଉଙ୍କ ସହ ମିଶି ବିଜେପି ବାଜି ମାରିନେଇଛି ବୋଲି ଚର୍ଚ୍ଚା ହେଉଥିଲା । ସେପଟେ ଏନ୍ପିଏଫ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜେଲିଆଙ୍ଗ୍ ମଧ୍ୟ ବିଜେପି ସହ ମେଣ୍ଟ କରିବାକୁ ଆହ୍ୱାନ କରିଥିଲେ ।
ସୂଚନା ଥାଉ କି, ଏଠାରେ ମୋଟ ୬୦ ଆସନରୁ ୫୯ଟି ଆସନରେ ନିର୍ବାଚନ ହୋଇଥିଲା । କାରଣ ଏନ୍ଡିପିପି ମୁଖ୍ୟ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନେଇଫିଉଙ୍କ ବିରୋଧରେ ଲଢୁଥିବା ଏନ୍ପିଏଫ୍ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବାରୁ ନେଇଫିଉଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେତା ଘୋଷଣା କରାଯାଇଥିଲା । ଗତ ୨୭ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୭୫ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ଉଲ୍ଲେଖଯୋଗ୍ୟ, ୨୦୧୩ ନିର୍ବାଚନରେ ରାଜ୍ୟରେ ୯୦ ପ୍ରତିଶତ ମତଦାନ ଦେଖାଯାଇଥିଲା । ସେଠାରେ ଶାସକ ଏନ୍ପିଏଫ୍ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସହଯୋଗୀ ନ୍ୟାସନଲ୍ ପିପୁଲ୍ସ ପାର୍ଟି(ଏନ୍ପିପି) ୨୫ଟି ଆସନରେ ଲଢୁଥିଲା । ସେହିପରି ଅନ୍ୟତମ ସହଯୋଗୀ ଜେଡିୟୁ ଶେଷ ମୁହୂର୍ତ୍ତରେ ୧୩ଟି ଆସନରେ ପ୍ରାର୍ଥୀ ଛିଡା କରାଇଥିଲା । ସେହିପରି କଂଗ୍ରେସ ମାତ୍ର ୧୮ଟି ଆସନରେ ଲଢିଥିବା ବେଳେ ପ୍ରଥମ ଥର ଲାଗି ଆମ୍ଆଦ୍ମୀ ପାର୍ଟି (ଆପ୍) ୩ଟି ଆସନରେ ଲଢୁଥିଲା । ଅପରପକ୍ଷେ, ନେଇଫିଉଙ୍କ ଏନ୍ଡିପିପି ୪୦ଟି ଆସନରେ ଲଢିବାକୁ ପସନ୍ଦ କରି ମେଣ୍ଟ ସହଯୋଗୀ ବିଜେପିକୁ ୨୦ଟି ଆସନ ଛାଡିଥିଲା ।
ଗତ ନିର୍ବାଚନରେ ବିଜେପିକୁ ୧୧ଟି ଆସନ ମିଳିଥିବା ବେଳେ ମେଣ୍ଟ ସହଯୋଗୀ ଏନ୍ଡିପିପିକୁ ୧୮ଟି ଆସନ ମିଳିଥିଲା । ସେହିପରି ଏନ୍ପିଏଫ୍ ଓ ସହଯୋଗୀ ଦଳଙ୍କୁ ୨୯ଟି ଆସନ ମିଳିଥିଲା । ଅପରପକ୍ଷେ, କଂଗ୍ରେସକୁ ଖାଲିହାତ ରହିବାକୁ ପଡିଥିବା ବେଳେ ଅନ୍ୟମାନଙ୍କ ଭାଗରେ ୨ଟି ଆସନ ରହିଥିଲା ।
Comments ସମସ୍ତ ମତାମତ