ମୁଖ୍ୟ ଖବର
ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହେଉଛି । ଭାରତର ୨୭୪ ରନ ଜବାବରେ ପ୍ରଥମେ ଦକ୍ଷିଣ ଆଫ୍ରିକା ମଜବୁତ ସ୍ଥିତିରେ ରହିଥିଲା । କିନ୍ତୁ ଏବେ ୩ଟି ୱିକେଟ ଭାରତ ଖସାଇ ଦେଇଥିବାରୁ ଜିତିବାର ସମ୍ଭାବନା ସୃଷ୍ଟିହୋଇଛି । ୩୩ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୬୯ ରନ କରିପାରିଛି ।
ଆଇସିସି ମହିଳା ବିଶ୍ୱକପର ଆଜି ହେଉଛି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ସେମିଫାଇନାଲ ଯିବା ପାଇଁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି । ଏହି ଆହ୍ୱାନକୁ ଗ୍ରହଣ କରି ଭାରତୀୟ ମହିଳା ଦଳ ଆଜି ଦମଦାର ବ୍ୟାଟିଂ କରିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଦଳ ୨୭୪ ରନର ଭଲ ସ୍କୋର କରିଥିବାବେଳେ ବିଜୟ ଆଶା ଉଜ୍ଜ୍ୱଳ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଭାରତର ଓପନିଂ ଯୋଡ଼ି ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ଦମଦାର ପ୍ରଦର୍ଶନ କରିଥିଲେ । ସ୍ମୃତି ୭୧ ରନ କରିଥିବାବେଳେ ଶେଫାଳୀ ବର୍ମା ୫୩ ରନରେ ରନ ଆଉଟ ହୋଇଥିଲେ । ସେହିପରି ୟାସ୍ତିକା ଭାଟିଆ ମାତ୍ର ୨ ରନ କରିଥିବାବେଳେ ଅଧିନାୟିକା ମିତାଲି ରାଜ ୬୮ ରନ କରିଥିଲେ । ଦଳର ଟାଣୁଆ ବ୍ୟାଟ୍ସମ୍ୟାନ ହରମନପ୍ରୀତ କୌର ୪୮ ରନର ଭଲ ପାଳି ଖେଳିଥିବାବେଳେ ପୂଜା ବସ୍ତ୍ରାକାର ୩, ରିଚା ଘୋଷ ୮ ରନ କରିପାରିଥିଲେ । ସ୍ନେହା ରଣା ୧ ଓ ଦୀପ୍ତି ଶର୍ମା ୨ ରନରେ ନଟଆଉଟ ରହିଥିଲେ । ଶେଷ ଭାଗରେ ଭାରତ ବ୍ୟାଟ୍ସମ୍ୟାନମାନେ ସେତେଟା ଖାସ ପ୍ରଦର୍ଶନ ନକରିବାରୁ ଦଳ ଅଧିକ ରନ ସଂଗ୍ରହ କରିପାରିନଥିଲା । ତଥାପିବି ଦକ୍ଷିଣ ଆଫ୍ରିକା ବିରୋଧରେ ବଡ଼ ଟାର୍ଗେଟ ଦେବାରେ ସମର୍ଥ ହୋଇଛି ।
Comments ସମସ୍ତ ମତାମତ