Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍, ସପ୍ତମ ଥର ବିଶ୍ୱ ମୁକୁଟ ପିନ୍ଧିଲା ଅଷ୍ଟ୍ରେଲିଆ

    Share on :
    ajab-Image
    Date: Apr 4, 2022    Views: 8555

    ଖ୍ରୀଷ୍ଟଚର୍ଚ୍ଚ: ଏକାଧିକ କୀର୍ତ୍ତିମାନ ଭରା ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆଇସିସି ଦିନିକିଆ ବିଶ୍ୱକପ୍ ଟ୍ରଫିକୁ ସପ୍ତମ ଥର ପାଇଁ କବ୍ଚା କରିଛି । ମହିଳା ବିଶ୍ୱକପ୍ ଫାଇନାଲରେ ସର୍ବୋଚ୍ଚ ସ୍କୋର୍ (୩୬୫/୫), କୌଣସି ବିଶ୍ୱକପ୍ ଫାଇନାଲରେ ଦ୍ୱତୀୟ ସର୍ବୋଚ୍ଚ ସ୍କୋର, କୌଣସି ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ରନ୍ (୧୭୦-ଆଲିସା ହିଲି), କୌଣସି ୱିକେଟ ପାଇଁ ମହିଳା ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ଭାଗୀଦାରି (୧୬୦-ପ୍ରଥମ ୱିକେଟ) ଆଦି କୀର୍ତ୍ତିମାନ ସହିତ ଅଷ୍ଟ୍ରେଲିଆ ଏହି ଗୌରବ ଅର୍ଜନ କରିଛି ।

    ପୂର୍ବରୁ ଅଷ୍ଟ୍ରେଲିଆ ୧୯୭୮, ୧୯୮୨, ୧୯୮୮, ୧୯୯୭, ୨୦୦୫, ୨୦୧୩ ମସିହାରେ ମଧ୍ୟ ମହିଳା ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିଥିଲା । ସାମଗ୍ରୀକ ଭାବେ ଅଷ୍ଟ୍ରେଲିଆକୁ ୩ ବର୍ଷରେ ୩ ଆଇସିସି ବିଶ୍ୱ ମୁକୁଟ ମିଳିଛି । ୨୦୨୦ରେ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପରେ ଏବେ ମହିଳା ଦିନିକିଆ ବିଶ୍ୱକପ୍ ହାସଲ କରିଛି କଙ୍ଗାରୁ ଦଳ । 


    ଗତକାଲି ଇଂଲଣ୍ଡ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା । ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଯୋଡି ଆଲିସା ହିଲି (୧୭୦, ୧୩୮ ବଲ୍, ୨୬ ଚୌକା) ଓ ରାଚେଲ ହେନ୍ସ (୬୮, ୯୩ ବଲ୍) ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଉଠାଇଥିଲେ । ଏହାପରେ ବେଥ୍ ମୁନି (୬୨, ୪୭ ବଲ୍)ଙ୍କୁ ସାଥୀ କରି ଆଲିସା ହିଲି ଆଉ ଏକ ଦେଢ ଶତକ (୧୫୬) ଭାଗୀଦାରି ଗଢିଥିଲେ । ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୩୫୬ ରନର୍ ବିଶାଳ ସ୍କୋର ଛିଡା କରିଥିଲା ।

    ଜବାବରେ ଇଂଲଣ୍ଡ ପାଇଁ କେବଳ ଅଭିଜ୍ଞା ନତାଲି ସିଭର (୧୪୮, ୧୨୧ ବଲ୍) ଲଢିଥିଲେ । ଏହା ତାଙ୍କ ଶ୍ରେଷ୍ଠ ଦିନିକିଆ ପାଳି ଥିଲା । ତେବେ ଇଂଲଣ୍ଡ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପାଇଁ ଜେସ୍ ୟୋନାସେନ୍ ଏବଂ ଆଲଣା କିଙ୍ଗ ପ୍ରତ୍ୟେକ୍ ୩ ୱିକେଟ ଏବଂ ମେଗାନ ସୁଟ୍ ୨ ୱିକେଟ ନେଇ ବିଜୟକୁ ଏକତରଫା କରିଦେଇଥିଲେ ଏବଂ ବିଶ୍ୱକପର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ମଧ୍ୟ ପାଇଥିଲେ । 

    Maximum 500 characters

    WOMEN CRICKET View all

    Find Us on Facebook