Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey World Cup News

ମୁଖ୍ୟ ଖବର

    ଇଂଲଣ୍ଡକୁ ଭେଟିବ ଜର୍ମାନୀ

    Share on :
    ajab-Image
    Date: Jan 24, 2023    Views: 2239

    ଭୁବନେଶ୍ୱର: ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମବୁଶ୍ଚ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ଜର୍ମାନୀ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ। ଗ୍ରୁପ୍‌ ପର୍ଯ୍ୟାୟରେ ପୁଲ୍‌ ଡି’ରେ ଶୀର୍ଷସ୍ଥାନ ଅଧିକାର କରି ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା। ଅନ୍ୟପକ୍ଷରେ ଫ୍ରାନ୍ସର ଅଭିଯାନ କ୍ରସ୍‌ଓଭରରୁ ଶେଷ ହୋଇଛି। ଏହି ଦଳ ଏବେ ୯ରୁ ୧୬ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚ୍‌ ଖେଳିବ।

    ବିଶ୍ୱର ୪ ନମ୍ବର ଦଳ ଜର୍ମାନୀ ସ୍ବାଭାବିକଭାବେ ୧୨ ନମ୍ବର ଦଳ ଫ୍ରାନ୍ସ ଉପରେ ଭାରି ପଡ଼ିଥିଲା। ଆକ୍ରମଣାତ୍ମକ ଆରମ୍ଭକରି ଖେଳ ଆରମ୍ଭର ୨ ମିନିଟ୍‌ ମଧ୍ୟରେ ଦଳ ୨ଥର ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ୬ଷ୍ଠ ମିନିଟ୍‌ରେ ଫ୍ରାନ୍ସ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ମାତ୍ର କୌଣସି ଦଳ ଗୋଲ କରିପାରି ନ ଥିଲେ। ୧୫ତମ ମିନିଟ୍‌ରେ ଫିଲ୍ଡ ଗୋଲରୁ ଜର୍ମାନୀକୁ ପ୍ରଥମ ସଫଳତା ମିଳିଥିଲା। ମାର୍କୋ ମିଲ୍ଡକାଉ ଏହି ଗୋଲଟି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ରହିଥିବା ଜର୍ମାନୀ ଆଉ ପଛକୁ ଫେରି ଚାହିଁ ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିିଥିଲା।

    ୧୯ତମ ମିନିଟ୍‌ରେ ନିକ୍ଲାସ ୱେଲେନ ଫିଲ୍ଡ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୨୪ତମ ମିନିଟ୍‌ରେ ଅଧିନାୟକ ଗ୍ରାମବୁଶ୍ଚ ଏବଂ ୨୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମୋରିଜ ଟ୍ରୋମ୍ପେର୍ଜ ପ୍ରଥମାର୍ଦ୍ଧ ଶେଷବେଳକୁ ଏହି ବ୍ୟବଧାନକୁ ୪-୦ରେ ପହଞ୍ଚାଇ ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଜର୍ମାନୀ ୩ଥର ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଫ୍ରାନ୍ସ ଡିଫେଣ୍ଡରମାନେ ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଚାପରେ ରହିଥିଲେ ହେଁ ଅନ୍ତିମ କ୍ୱାର୍ଟରରେ ପରିବର୍ତ୍ତିତ ରଣନୀତିରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ଦଳ ଏହି କ୍ୱାର୍ଟରରେ ୭ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟିକରି ଏଥିରୁ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା।

    ୫୮ତମ ମିନିଟ୍‌ରେ ଫ୍ରାଙ୍କୋଇସ୍‌ ଗୋୟେଟ ଏହି ଗୋଲ ଦେଇଥିଲେ। ମାତ୍ର ଏହାର ୨ ମିନିଟ୍‌ ପରେ ଜର୍ମାନୀ ପକ୍ଷରୁ ୫ମ ଗୋଲଟି ସ୍କୋର କରିଥିଲେ ଗୋଞ୍ଜାଲୋ ପିଲାଟ। ପେନାଲ୍ଟି କର୍ନରରୁ ସେ ଏହି ଗୋଲଟି ଦେଇଥିଲେ। ମୋଟ୍‌ ଉପରେ ଜର୍ମାନୀ ପାଇଥିବା ୯ ପେନାଲ୍ଟି କର୍ନରରୁ ୨ଟିକୁ ଗୋଲରେ ପରିଣତ କରିଥିବାବେଳେ ସମାନ ସଂଖ୍ୟକ ପେନାଲ୍ଟି କର୍ନରରୁ ଫ୍ରାନ୍ସ ଗୋଟିଏ ଗୋଲ ଦେଇପାରିଥିଲା। ୯ରୁ ୧୬ତମ ସ୍ଥାନ ପାଇଁ ଫ୍ରାନ୍ସ ୱେଲ୍ସକୁ ଭେଟିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଆସନ୍ତା ୨୬ରେ ଖେଳାଯିବ।

    Maximum 500 characters

    Hockey World Cup News View all

    Find Us on Facebook