Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯୋଡି ଶଙ୍ଖକୁ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି

    Share on :
    ajab-Image
    Date: Apr 13, 2024    Views: 3403

    ଭୁବନେଶ୍ବର: ''ଶଙ୍ଖ ହେଉଛି ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ଅସ୍ମିତାର ପରିଚୟ । ସେଥିପାଇଁ ଶ୍ରୀକ୍ଷେତ୍ରରେ ଶଙ୍ଖ ପ୍ରତିଷ୍ଠା ହୋଇଥିଲା । ଓଡ଼ିଆଙ୍କ ପରିଚୟ ଭାବେ ଲକ୍ଷ୍ମୀ ବସରେ ବ୍ୟବହାର ହେଉଥିଲା ଯୋଡି ଶଙ୍ଖ । କିନ୍ତୁ ବିଜେପିର ଅଭିଯୋଗ ଯୋଗୁଁ ଶଙ୍ଖକୁ ଘୋଡାଇ ରଖାଯାଇଛି ।'' ଶ୍ରୀକ୍ଷେତ୍ରରେ ଥିବା ଯୋଡି ଶଙ୍ଖ ଏବଂ ଲକ୍ଷ୍ମୀ ବସରେ ଥିବା ଶଙ୍ଖକୁ ଘୋଡାଯିବାକୁ ଏଭଳି ବିରୋଧ କରି ଏହାର ଅନାବରଣ ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

    ଲକ୍ଷ୍ମୀ ବସରେ ଯୋଡି ଶଙ୍ଖ ଓ ପୁରୀ ପରିକ୍ରମା ପ୍ରକଳ୍ପରେ ଶଙ୍ଖକୁ ଅନାବରଣ କରିବାକୁ ବିଜେଡି ଦାବି କରିଛି । ବିଜେଡି ମୁଖପାତ୍ର ମହିକ୍ଷୀତା ମିଶ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଅଛି । ସେଥିପାଇଁ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ଅସ୍ମିତା ଉପରେ ବାରମ୍ବାର କୁଠାରଘାତ କରୁଛି । ସାଢ଼େ ୪ କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସକୁ ନେଇ ହୀନ ରାଜନୀତି କରୁଛି ବିଜେପି । ଓଡ଼ିଆ ସଂସ୍କୃତିରେ ଶଙ୍ଖର ମାହାତ୍ମ୍ୟ କ'ଣ ଆମେ ସମସ୍ତେ ଜାଣିଛନ୍ତି । ଆମ ଗର୍ବ, ଅସ୍ମିତା ଓ ସଂସ୍କୃତିର ପରିଚୟ ହେଉଛି ଶଙ୍ଖ । ଓଡ଼ିଆ ଘରେ କୌଣସି କାର୍ୟ୍ୟ ଶଙ୍ଖ ଧ୍ୱନି ବିନା ହୋଇପାରେନାହିଁ । ସମାନ ଭାବେ ଆମର ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଶଙ୍ଖ କ୍ଷେତ୍ର ନାମରେ ପରିଚିତ । ଓଡିଶାର ସାଢ଼େ ୪ କୋଟି ଜନତାଙ୍କ ଭାବନାକୁ ସମ୍ମାନ ଜଣାଇ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ ସମୟରେ ଏକ ଶଙ୍ଖକୁ ସ୍ଥାନ ଦିଆଯାଇଥିଲା ।

    ସେହିପରି ଆମ ଆଧ୍ୟାତ୍ମିକ ଓ କଳା ସଂସ୍କୃତିରେ ଯୋଡି ଶଙ୍ଖର ସମ୍ପର୍କ ବହୁ ପୁରାତନ । ଏବେ ବି ମଧ୍ୟ ଗାଁ ଗହଳିରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମରେ ଲୋକେ ଯୋଡି ଶଙ୍ଖ ବ୍ୟବହାର କରୁଛନ୍ତି । ଏହା ଆମ ଲୋକକଳାର ପରିଚୟ । ଯାହାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସରେ ଲୋଗୋ ଭାବେ ବ୍ୟବହାର କରାଯାଇଛି । ଯାହାର ଉଦ୍ଦେଶ୍ୟ ଗାଁ'ରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଟଙ୍କା ବା ସୁଲଭ ମୂଲ୍ୟରେ ଯାତାୟାତ ସୁବିଧା ଯୋଗାଇ ଦେବା । ସେଥିରେ ଏହି ଯୋଡି ଶଙ୍ଖକୁ ସ୍ଥାନ ଦିଆଯାଇଥିଲା । ଯାହା ଆମର କଳା ଓ ସଂସ୍କୃତିକୁ ଦର୍ଶାଉଛି ।

    କିନ୍ତୁ ଅତ୍ୟନ୍ତ ଦୁଃଖଦ ଓ ଲଜ୍ବାର ବିଷୟ ବିଜେପିର ଓଡିଶା ଶାଖା ନିର୍ବାଚନ ଆୟୋଗଙ୍କୁ ଭେଟି ବଡ଼ଦାଣ୍ଡରେ ଥିବା ଶଙ୍ଖ ଓ ଲକ୍ଷ୍ମୀ ବସରେ ଥିବା ଯୋଡ଼ି ଶଙ୍ଖ ହଟେଇବା ଲାଗି କହିଥିଲେ । ଯାହାର ଫଳସ୍ୱରୂପ ବଡ଼ ଦାଣ୍ଡରେ ଥିବା ଶଙ୍ଖ ଓ ଲକ୍ଷ୍ମୀ ବସରେ ଥିବା ଯୋଡି ଶଙ୍ଖକୁ ଘୋଡାଇ ଦିଆଯାଇଛି । ଯେତେବେଳେ ଜଣେ ଲୋକଟି ଶଙ୍ଖ କ୍ଷେତ୍ରକୁ ଯାଇ ଶୁଭ ଶଙ୍ଖକୁ ନଦେଖି ଦୁଃଖିତ ହେଉଛି, ଲୁହ ଛଳଛଳ ଆଖିରେ ଫେରୁଛି ସେହିପରି ମାଆଟି ବସରେ ଆମ କଳା ସଂସ୍କୃତିର ପ୍ରତୀକ ଯୋଡି ଶଙ୍ଖକୁ ନଦେଖୁଛି, ସେ ଦୁଃଖିତ । ଏହା ଅତ୍ୟନ୍ତ କଷ୍ଟଦାୟକ । ସେଥିପାଇଁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବଡ଼ଦାଣ୍ଡରେ ଥିବା ଶଙ୍ଖ ଓ ଲକ୍ଷ୍ମୀ ବସରେ ଥିବା ଯୋଡି ଶଙ୍ଖକୁ ଅନାବରଣ କରିବାକୁ ଅନୁରୋଧ କରିଛୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook