Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି: ରାଜନାଥ

    Share on :
    ajab-Image
    Date: Feb 22, 2024    Views: 3571

    ଭୁବନେଶ୍ୱର:  କଂଗ୍ରେସ ଲମ୍ବା ସମୟ ଧରି କେବଳ ଦେଶବାସୀଙ୍କୁ ଧୋକା ଦେଇଛି । ବିଶେଷ କରି ଗରିବ ଲୋକଙ୍କୁ କଂଗ୍ରେସ ଧୋକା ଦେଇଛି । ସେମାନଙ୍କ ସହ ବିଶ୍ୱାସଘାତକତା କରିଛି । ମୋଦୀ ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧କୋଟି ଲୋକଙ୍କୁ ଶୌଚାଳୟ ଓ ୪ କୋଟି ଲୋକଙ୍କୁ ପକ୍କାଘର ମିଳିଛି । ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା । ଗତ ୧୦ ବର୍ଷରେ ମୋଦୀ ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି । ଏଠାରେ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ବଢିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦେ୍ଧଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ନବରଙ୍ଗଠାରେ ଅନୁଷ୍ଠିତ ଦଳୀୟ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ରାଜନାଥ ଏହା କହିଛନ୍ତି । 
    ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାରବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି । ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସର୍ବତ୍ର ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ସମସ୍ତେ ଜାଣିଛନ୍ତି । ପୁଲୱମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି ରାଜନାଥ ସିଂହ କହିଛନ୍ତି ।
    ଏଥିସହ ସେ କହିଛନ୍ତି ଯେ ମୋଦୀଙ୍କ ସନେ୍ଦଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦୀ ଦେଉଥିବା ସୁବିଧା ସୁଯୋଗ ମିଳିବା ଦରକାର ବୋଲି ରାଜନାଥ ସିଂ କହିଛନ୍ତି । 
    ଏହାଛଡ଼ା ସେ କହିଛନ୍ତି ଯେ ବିଜେପି ଏକମାତ୍ର ଦଳ ଯିଏ ଯାହା କୁହେ ତାହା କରେ । ବିଶ୍ୱସନୀୟତା ସଙ୍କଟକୁ ମୋଦୀ ଚ୍ୟାଲେଞ୍ଜଭାବେ ନେଇଛନ୍ତି । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । କହିଥିଲୁ ୩୭୦ ଧାରା ଉଠାଇବୁ, ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଇଲୁ । ତିନ ତଲାକ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ । ଆମେ ରାଜନୀତି କରୁଛୁ କେବଳ ଦେଶ ଗଠନ ପାଇଁ । ସେହିପରି ରାଜନାଥ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରିଚାଲିଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ କାର୍ଯ୍ୟ ପୂରଣ କରୁଛନ୍ତି । ଯେଉଁଠି ଶିଳାନ୍ୟାସ ସେଇଠି କାମ ସାରି ଉଦଘାଟନ ବି କରୁଛନ୍ତି । ଏହି ଅବସରରେ ଦୈନିକ ୧୨ ଘଣ୍ଟା ଦେବାକୁ ରାଜନାଥ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି । ଦଳ ପାଇଁ ୧୨ ଘଣ୍ଟା ଓ ପରିବାର ପାଇଁ ୧୨ ଘଣ୍ଟା ଦେବାକୁ ରାଜନାଥ କହିଛନ୍ତି ।
    ସେ କହିଛନ୍ତି ଯେ ଯେଉଁ କାମ ପୂରଣ ହୋଇଛନ୍ତି ମୋଦୀଙ୍କ ୩ୟ ପାଳିରେ ତାହା ନିଶ୍ଚିତ ପୂରଣ ହେବ । ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଲେଣି । କେନ୍ଦ୍ରରେ ତ ଆମ ସରକାର ହେବ, ଓଡ଼ିଶାରେ ବି ଆମ ସରକାର ହେବ । କୌଣସି କ୍ଷେତ୍ରରେ ବି କାର୍ଯ୍ୟକର୍ତ୍ତା ପଛଘୁଞ୍ଚା ଦିଅନ୍ତୁ ନାହିଁ ବୋଲି ରାଜନାଥ ସିଂ କହିଛନ୍ତି । 

    ପ୍ରକାଶ ଯେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନବରଙ୍ଗପୁରରୁ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଜନାଥ । ରଙ୍ଗେଇଲୁଣ୍ଡାରୁ ବ୍ରହ୍ମପୁରକୁ ଯାଇ ବିଜେପି ସମ୍ମିଳନୀରେ ଯୋଗ ଦେବେ । ବ୍ରହ୍ମପୁର ସଭା ସାରି ସେ ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡିୟମ ଅଭିମୁଖେ ବାହାରିବେ । ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ବିଜେପି କାର୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ୟ୍ୟକ୍ରମ ଅଛି । ଏହାପରେ ସେ ମୟୂରଭଞ୍ଜରୁ ଦିଲ୍ଲୀକୁ ଫେରିଯିବେ । 

    Maximum 500 characters

    ରାଜନୀତି View all

    Find Us on Facebook