ମୁଖ୍ୟ ଖବର
ନୂଆଦିଲ୍ଲୀ: ପୂର୍ବତନ ଏସୀୟ ସ୍ବର୍ଣ୍ଣ ପଦକ ସୁଟର୍ ତଥା ପ୍ରଶିକ୍ଷକ ଯଶପାଲ୍ ରାଣାଙ୍କ ଦେହାନ୍ତ ଗୁରୁବାର ରାତିରେ ସାକେଟସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ହୋଇଛି। ୪୯ ବର୍ଷୀୟ ରାଣାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଜର୍ମାନୀର ମୁନିଚ୍ରେ ଆୟୋଜିତ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରୁ ଭାରତୀୟ ଦଳ ସହ ଫେରିବା ବେଳେ ବିମାନ ମଧ୍ୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ବିମାନରୁ ଓହ୍ଲାଇବା ପରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଷ୍ଟେନ୍ ଲାଗିଥିଲା ଏବଂ ସେହିଦିନଠାରୁ ଚିକିତ୍ସା ଚାଲିଥିଲା।
ଭାରତୀୟ ପିସ୍ତଲ ସୁଟର୍ଙ୍କ ଉଚ୍ଚ ପ୍ରଦର୍ଶନକାରୀ ପ୍ରଶିକ୍ଷକ ଥିଲେ ଯଶ୍ପାଲ। ସେ ଭାରତୀୟ ସୁଟିଂର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଥିଲେ। ତାଙ୍କ ତତ୍ତ୍ବାବଧାନରେ ମନୁ ଭାକର ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଯୁଗଳ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବ୍ୟକ୍ତିଗତ ଓ ମିଶ୍ରିତ ଦଳଗତରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିଲେ। ଯଶପାଲ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୯ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୫ ପଦକ ଜିତିଥିଲେ। ତାଙ୍କ ଖେଳ ଜୀବନ ପରେ ସେ ପ୍ରଶିକ୍ଷଣକୁ ଆପଣେଇଥିଲେ। ତାଙ୍କର ପ୍ରଶିକ୍ଷଣରେ ମନୁଙ୍କ ସହ ସୌରଭ ଚୌଧୁରୀ, ଅନୀଶ ଭନୱାଲା ଓ ଚିକି ଯାଦବ ଅନ୍ତର୍ଜାତୀୟସ୍ତରରେ ନିଜର ଟେକ ରଖିପାରିଛନ୍ତି। ତାଙ୍କର ସଫଳ ପ୍ରଦର୍ଶନ ଲାଗି ୨୦୨୦ରେ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିଲେ। ତାଙ୍କର ଦେହାନ୍ତରେ ଭାରତୀୟ ସୁଟିଂ ଦୁନିଆରେ ଦୁଃଖର ଛାୟା ଖେଳିଯାଇଛି। ତାଙ୍କର ଅକାଳ ବିୟୋଗରେ ଭାରତୀୟ ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ସିଂହଦେଓ ଶୋକ ପ୍ରକାଶକରିଛନ୍ତି।
Comments ସମସ୍ତ ମତାମତ