ମୁଖ୍ୟ ଖବର
ICC ମହିଳା କ୍ରିକେଟ୍ ବିଶ୍ୱକପ ୨୦୨୫ । ଏଥର ନୂଆ ଚମ୍ପିଅନ ଦେଖିବ ବିଶ୍ୱ । ଆଜି ମହିଳା ବିଶ୍ବକପ୍ରେ ଖେଳାଯିବ ଫାଇନାଲ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ରବିବାର ଦିନ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ନଭି ମୁମ୍ବାଇର ଡିଓ୍ବାଇ ପାଟିଲ୍ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍କୁ ଜିତି ପ୍ରଥମ ଥର ପାଇଁ ବିଶ୍ବକପ୍ ଟାଇଟଲ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ ।ମହିଳା ବିଶ୍ବକପ୍ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଇଂଲଣ୍ଡକୁ ୧୨୫ ରନ୍ରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।
ସେହିପରି ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୩୮ ରନ୍ର ବିଶାଳ ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହି ଟାର୍ଗେଟକୁ ଭାରତ ୯ଟି ବଲ୍ ବାକି ଥାଇ ପୂରଣ କରିଥିଲା । ଏହି ବିଜୟ ସହ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ସେମିଫାଇନାଲ ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ବିଜୟର ସାରଥୀ ସାଜିଥିଲେ । ତେବେ ଆଜିର ଫାଇନାଲ ମ୍ୟାଚ୍ରେ ମଧ୍ୟ ଭାରତ ସେହି ପ୍ରଦର୍ଶନ ଜାରି ରଖିବ ବୋଲି ଆଶା ରଖିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।
୨୦୨୫ ମହିଳା ବିଶ୍ୱକପର ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୫୧ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୮୧ ରନ୍ରେ ୫ ଓ୍ବିକେଟ ହରାଇଥିଲା । ଆଉ ଏହା ପରେ ଆଶା କରାଯାଉଥିଲା କି ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲାର୍କଙ୍କ ଏକ ଧମାକାଦାର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକା ଅସମ୍ଭବକୁ ସମ୍ଭବ କରିଥିଲା ଏବଂ ସେହି ମ୍ୟାଚ୍କୁ ୩ ଓ୍ବିକେଟରେ ନିଜ ନାମରେ କରିଥିଲା । ଆଉ ଆଜିର ଫାଇନାଲ ମ୍ୟାଚ୍ରେ ଭାରତ ଲିଗ୍ ମ୍ୟାଚ୍ର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।
Comments ସମସ୍ତ ମତାମତ