ମୁଖ୍ୟ ଖବର
ଭୁବନେଶ୍ୱର: ତାପମାତ୍ରା ସାମାନ୍ୟ ତଳ ଉପର ହୋଇପାରେ । ମାତ୍ର ଆସନ୍ତା ଦୁଇ ସପ୍ତାହ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏ ଶୀତ ପ୍ରକୋପରୁ ନିସ୍ତାର ଆଶା କମ୍ ।
ରାଜ୍ୟରେ ଗତ ୯/୧୦ ଦିନ ହେବ ଶୀତ ପ୍ରକୋପ ଲାଗି ରହିଛି । ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇନଥିଲା । ଯଦିଓ ଆଜି ତାପମାତ୍ରା ସାମାନ୍ୟ ବଢ଼ିଛି, ତଥାପି ଶୀତରୁ ବଡ଼ ଆଶ୍ୱସ୍ତି ମିଳିନି । ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୬, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡ଼ା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ଼ ୧୦.୬, ସମ୍ବଲପୁର ୧୧.୮ ଓ ନୂଆପଡ଼ା ୧୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ଥିଲା ।
ପାଣିପାଗ ବିଭାଗ ପକ୍ଷରୁ କୌଣସି ଶୀତ ଲହରୀ ସୂଚନା ଜାରି କରାଯାଇନି । ମାତ୍ର ଆସନ୍ତା ୬ ଦିନ ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା କୁହାଯାଇଛି । ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଦିନେ ଦୁଇଦିନ ପରେ ପୁଣି ଏହା ଖସିବ । ବର୍ତ୍ତମାନ ଉତ୍ତର ପଶ୍ଚିମ ଓଡ଼ିଶା ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା କମ୍ । ଉପକୂଳ ଓଡ଼ିଶାରେ ଆସନ୍ତା ୧୭ ଓ ୧୮ରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଦକ୍ଷିଣ ଓଡ଼ିଶାରେ ୨୨/୨୩ ତାରିଖବେଳକୁ ସାମାନ୍ୟ ପରିବର୍ତ୍ତନ ଘଟିପାରେ । ମାତ୍ର ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଜାରି ରହିବ ଶୀତ ପ୍ରକୋପ ।
Comments ସମସ୍ତ ମତାମତ