ମୁଖ୍ୟ ଖବର
ଭୁବନେଶ୍ୱର : ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା କରାଯାଇଥାଏ । କାରଣ ତାଙ୍କୁ ବିଘ୍ନହର୍ତ୍ତା କହନ୍ତି । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା କରିବା ଦ୍ୱାରା ସମସ୍ତ କାମନା ର୍ନିବିଘ୍ନରେ ପୂର୍ଣ୍ଣ ହୋଇଥାଏ । ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ୟ୍ୟରେ କୌଣସି ବାଧାବିଘ୍ନ ନଆସୁ ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । ପ୍ରତ୍ୟେକ ଶୁଭକାର୍ୟ୍ୟ ପୂର୍ବରୁ ଶ୍ରୀ ଗଣେଶାୟ ନମଃ ସ୍ତୁତି ପାଠ କରାଯାଇଥାଏ । ତେବେ କାହାକିଁ ଗଣେଶଙ୍କୁ ଅଗ୍ରପୂଜ୍ୟ କରାଯାଏ ଜାଣିବା ।
ପଦ୍ମ ପୁରାଣ ଅନୁଯାୟୀ, ସୃଷ୍ଟି ଆରମ୍ଭରେ ପ୍ରଶ୍ନ ଉଠିଲା ପ୍ରଥମ ପୂଜ୍ୟ ଭାବେ କେଉଁ ଦେବତାଙ୍କୁ ପୂଜା କରାଯିବ । ଦେବତାଗଣ ପ୍ରଭୁ ବ୍ରହ୍ମାଙ୍କ ନିକଟରେ ପହଞ୍ôଚଲେ । ବ୍ରହ୍ମା କହିଲେ ଯିଏ ସମ୍ପୂର୍ଣ୍ଣ ପୃଥିବୀର ପରିକ୍ରମା ପ୍ରଥମେ କରିବେ ତାଙ୍କୁ ହିଁ ଅଗ୍ରପୂଜ୍ୟ କରାଯିବ । ସମସ୍ତ ଦେବତା ଗଣ ନିଜ ନିଜ ବାହନରେ ପୃଥିବୀର ପରିକ୍ରମା ପାଇଁ ବାହାରି ପଡ଼ିଲେ । ଗଣେଶଙ୍କ ବାହାନ ମୂଷା ହୋଇଥିବାରୁ ସେ କେମିତି ସମ୍ପୂର୍ଣ୍ଣ ପୃଥିବୀର ପରିକ୍ରମା କରିବେ ଭାବିବା ବେଳେକୁ ଦେବର୍ଷି ନାରଦ ତାଙ୍କୁ ଏକ ଉପାୟ କହିଲେ । ଦେବର୍ଷି ନାରଦଙ୍କ ପରାମର୍ଶ ଅନୁଯାୟୀ ଗଣେଶ ଭୂମିରେ ଶ୍ରୀରାମ ନାମ ଲେଖି ତାହାର ୭ଥର ପରିକ୍ରମା କଲେ ଓ ବ୍ରହ୍ମାଙ୍କ ପାଖରେ ପହଞ୍ଚି ଗଲେ । ବ୍ରହ୍ମା ତାଙ୍କୁ ପ୍ରଥମ ପୂଜ୍ୟ କହିଲେ କାରଣ ରାମ ନାମରେ ଶ୍ରୀରାମଙ୍କ ସ୍ୱରୂପ ଅଟେ । ଶ୍ରୀରାମରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ରହିଥାନ୍ତି । ତେଣୁ ସେହି ଦିନରୁ ଗଣେଶଙ୍କୁ ଅଗ୍ରପୂଜା କରାଯାଇଥାଏ ।
ସେହିପରି ଶିବ ପୁରାଣ ଅନୁଯାୟୀ, ସମସ୍ତ ଦେବତା ଭଗବାନ ଶଙ୍କରଙ୍କ ପାଖରେ ପହଞ୍ôଚ କେଉଁ ଦେବତାଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯିବ ବୋଲି ପଚାରିଲେ । ଭଗବାନ ଶିବ କହିଲେ ଯିଏ ପୃଥିବୀର ୩ ଥର ପରିକ୍ରମା କରି କୈଳାସରେ ପ୍ରଥମେ ପହଞ୍ଚିବ ସେ ହିଁ ଅଗ୍ରପୂଜ୍ୟର ଯୋଗ୍ୟ ହେବ । ତାଙ୍କୁ ଦେବତାଙ୍କ ମୁଖିଆ କୁହାଯିବ । ପ୍ରଭୁ ଗଣେଶଙ୍କ ବାହାନ ମୂଷା ସେ ଧିରେ ଧିରେ ଚାଲେ । ତେଣୁ ସେ ନିଜ ବୁଦ୍ଧି ଖଟାଇ ନିଜର ପିତା ଶଙ୍କର ଓ ମାତା ପାର୍ବତୀଙ୍କ ୩ଥର ପରିକ୍ରମା କରି ହାତ ଯୋଡ଼ି ଛିଡ଼ା ହୋଇଗଲେ । ଏଥିରେ ପ୍ରଭୁ ଶିବ ପ୍ରସନ୍ନ ହୋଇ କହିଲେ ତୁମ ପରି ଚତୁର ଅନ୍ୟ କେହି ନାହାନ୍ତି । ମାତା ପିତାଙ୍କ ୩ ଥର ପରିକ୍ରମା କରିବା ଅର୍ଥ ୩ ଲୋକ ପରିକ୍ରମା କରିବା ସହିତ ସମାନ । ଯାହା ପୃଥିବୀର ପରିକ୍ରମା ଠାରୁ ବି ବଡ଼ । ତେଣୁ ଯେଉଁ ମଣିଷ ନିଜର କୌଣସି କାର୍ୟ୍ୟ ଆରମ୍ଭ ପୂର୍ବରୁ ଗଣେଶ ପୂଜା କରିବ ତା’ର ସମସ୍ତ କାର୍ୟ୍ୟ ର୍ନିବିଘ୍ନରେ ପୂର୍ଣ୍ଣ ହେବ । ସେହି ଦିନରୁ ଗଣେଶଙ୍କୁ ଅଗ୍ରପୂଜ୍ୟ ଭାବେ ପୂଜା କରାଯାଇଆସୁଛି ।
Comments ସମସ୍ତ ମତାମତ