Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗମ୍ଭୀର ସ୍ଥିତିରେ ପହଞ୍ଚିଛି ଆମେରିକା ଓ ଇରାନ ଯୁଦ୍ଧ

    Share on :
    ajab-Image
    Date: Jul 13, 2026    Views: 2610

    ୱାଶିଂଟନ/ତେହରାନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏପରି କି ଏହି ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି। ​‌ରବିବାର ପ୍ରତ୍ୟୁଷରେ ଦୁଇ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଆମେରିକା ସେନା ଇରାନର ପ୍ରାୟ ୧୪୦ଟି ସ୍ଥାନରେ ଆକ୍ରମଣ କରିଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌)ର କହିବା ଅନୁଯାୟୀ ଆକ୍ରମଣ କରାଯାଇଥିବା ସ୍ଥାନ ମଧ୍ୟରେ ଇରାନର ସାମରିକ ଘାଟି, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍‌କ୍ଷେପଣ କେନ୍ଦ୍ର, ନୌସେନା ଉପକରଣ, ଅସ୍ତ୍ରାଗାର, ଯୋଗାଯୋଗ କେନ୍ଦ୍ର ଏବଂ ଉପକୂଳ ସେର୍ଭେଲାନ୍ସ କେନ୍ଦ୍ର ରହିଛି। ଏପରି କି ଗତ ସପ୍ତାହକ ମଧ୍ୟରେ ଇରାନର ୩୦୦ ସ୍ଥାନକୁ ଆମେରିକା ନିଶାଣ କରି କ୍ଷେପଣାସ୍ତ୍ର ମାଡ କଲାଣି। ଗତ ମଙ୍ଗଳବାର ଠାରୁ ଦୁଇ ଦେଶ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଆକ୍ରମଣ ବନ୍ଦ ରହିବା ପରେ ରବିବାର ପ୍ରତ୍ୟୁଷରୁ ପୁଣି ଆକ୍ରମଣ ହୋଇଛି। ରବିବାର ଇରାନ ସେନା ହର୍ମୁଜ ପ୍ରଣାଳୀରେ ସାଇପ୍ରସର ଏକ ଜାହାଜ ଉପରେ ଆକ୍ରମଣ କରିବାରୁ ଆମେରିକା ଏହି ଆକ୍ରମଣ କରିଛି।
    ଆମେରିକାର ଏହି ଆକ୍ରମଣ ଉପରେ ଇରାନ ମଧ୍ୟ କଡା ଜବାବ ଦେଇଛି। ବିଶେଷକରି ଆମେରିକାର ସହଯୋଗୀ ଉପସାଗରୀୟ ରାଷ୍ଟ୍ରଗୁଡିକ ଉପରେ ଇରାନ ଜୋରଦାର ଆକ୍ରମଣ
    କରିଛି। ଇରାନର ଆକ୍ରମଣରେ ନିଶାଣରେ ରହିଥିବା ଉପସାଗରୀୟ ରାଷ୍ଟ୍ରଗୁଡିକ ହେଲା ବାହାରିନ, କୁଏତ, ଜୋର୍ଡାନ, କାତାର, ଓମାନ ଓ ୟୁଏଇ। ଇରାନର ଆକ୍ରମଣ ପରେ ଏହିସବୁ ଦେଶ ଅସୁରକ୍ଷିତ ହୋଇପଡିଛି। ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ପଡ଼ିଛି। ଇରାନ ସେନା ଆଇଆରଜିସିର କହିବା ଅନୁଯାୟୀ କାତାରସ୍ଥିତ ଆମେରିକାର ଅଲ୍‌ ଉଦେଇଦ୍ ବାୟୁସେନା ଘାଟି ଉପରେ ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଏହା ସହିତ କୁଏତ୍ ଓ ବାହାରିନରେ ଥିବା ଆମେରିକାର ସାମରିକ କେନ୍ଦ୍ର ଉପରେ ଡ୍ରୋନ ମାଡ କରାଯାଇଛି। ସେହିପରି ୟୁଏଇର ଏୟାର ଡିଫେନ୍ସ ସିଷ୍ଟମ୍ ଇରାନ ପଟୁ ଆସୁଥିବା କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡିକୁ ଇଣ୍ଟରସେପ୍ଟ କରିଛି। ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ କହିଛନ୍ତି ଯେ ହତ୍ୟାର ପ୍ରତିଶୋଧ ହତ୍ୟା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ଆମେରିକାର ପ୍ରତିଟି ଆକ୍ରମଣର କଡା ଜବାବ ଦିଆଯିବ।
    ରବିବାର ଏହି ଘମାଘୋଟ ଲଢେଇ ପରେ ଇରାନ ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନର ପର୍ସିଆନ ଗଲ୍ପ ଷ୍ଟ୍ରେଟ୍‌ ଅଥରିଟି (ପିଜିଏସ୍‌ଏ) କହିଛି ଯେ ଆମେରିକାର ସାମରିକ କାର୍ଯ୍ୟକଳାପ ଯୋଗୁଁ ହର୍ମୁଜ ପ୍ରଣାଳୀରେ କୌଣସି ଜାହାଜ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକା ସେନା ଏହି ଅଞ୍ଚଳ ଦେଇ ବେଆଇନ ଭାବେ ଯାତାୟାତ କରୁଛନ୍ତି ବୋଲି ପିଜିଏସ୍‌ଏ ଅଭିଯୋଗ କରିଛି। ଆଞ୍ଚଳିକ ସ୍ଥିରତା ପରେ ଜାହାଜ ଚଳାଚଳ ପାଇଁ ବିଭିନ୍ନ ଦେଶ ପକ୍ଷରୁ କରାଯାଉଥିବା ଅନୁରୋଧକୁ ବିଚାର କରାଯିବ। ତେଣୁ ବର୍ତ୍ତମାନ ସମୟ ପାଇଁ ହର୍ମୁଜ ପ୍ରଣାଳୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ଇରାନ ପକ୍ଷରୁ ହୋଇଥିବା ଦାବିକୁ ଆମେରିକା ଖଣ୍ଡନ କରିଛି। ଆମେରିକା କହିଛି ଯେ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ମୁକ୍ତ ଜାହାଜ ଚଳାଚଳ ପାଇଁ ଆମେରିକା ସେନା ସୁରକ୍ଷା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଥିବା ସେଣ୍ଟକମ୍ କହିଛି।
    ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଅଶୋଧିତ ତୈଳ ବଜାର ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମାମଲାରେ ଆଲୋଚନା ଜାରି ରଖିବାକୁ କହିଥିବାବେଳେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୂର୍ବ ଆକ୍ରମଣରେ ନଷ୍ଟ ହୋଇଯାଇଥିବା ନିଜର ପରମାଣୁ ଓ କ୍ଷେପଣାସ୍ତ୍ର କେନ୍ଦ୍ରଗୁଡ଼ିକୁ ଇରାନ ପୁଣିଥରେ ନିର୍ମାଣ କରିବାକୁ ଚେଷ୍ଟା କରୁଛି, ଯାହା ଆମେରିକା ଓ ଇସ୍ରାଏଲକୁ ଅଧିକ କ୍ରୋଧିତ କରିପାରେ। ଯୁଦ୍ଧ ଦ୍ବାରା ଗତ ମାସରେ ସ୍ବିଜରଲ୍ୟାଣ୍ଡର ଜେନେଭା ଠାରେ ହୋଇଥିବା ୬୦ ଦିନିଆ ଅସ୍ତ୍ରବିରତି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
    ଇରାନ ସହିତ ହୋଇଥିବା ଅସ୍ତ୍ରବିରତି ଶେଷ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଯୁଦ୍ଧ ସତ୍ତ୍ବେ ଓମାନ, କାତାର, ପାକିସ୍ତାନ ଓ ସାଉଦି ଆରବ ଭଳି ଦେଶଗୁଡ଼ିକ ଯୁଦ୍ଧ ଉତ୍ତେଜନା ହ୍ରାସ ପାଇଁ କୂଟନୈତିକ ପ୍ରୟାସ ଜାରି ରଖିଛନ୍ତି। ଭାରତ ସରକାର ଦୁଇ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଯଦି ଶାନ୍ତି ଆଲୋଚନା ସଫଳ ନହୁଏ, ତେବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଏକ ବିନାଶକାରୀ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook