ମୁଖ୍ୟ ଖବର
ବେରୁଟ୍ : ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବା ସତ୍ତ୍ବେ ଲେବାନନ୍ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଗୁରୁବାର ରାତିରୁ ଶୁକ୍ରବାର ପର୍ଯ୍ୟନ୍ତ ଦକ୍ଷିଣ ଲେବାନନ୍ରେ ଥିବା ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ଘନଘନ ଆକ୍ରମଣ କରିଛି। ଲେବାନନ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ ଇସ୍ରାଏଲର ଏହି ଆକ୍ରମଣରେ ଲେବାନନ୍ରେ ୪୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୭ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି। ଅନ୍ୟପଟେ ହେଜବୋଲ୍ଲା ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ୪ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ହେଜବୋଲ୍ଲା ଆତଙ୍କବାଦୀଙ୍କ ଆକ୍ରମଣରେ ନିଜର ଜଣେ ଲେପ୍ଟନାଣ୍ଟ କର୍ଣ୍ଣେଲ ଓ ଅନ୍ୟ ୩ ସୈନିକଙ୍କୁ ହରାଇବା ପରେ ଇସ୍ରାଏଲ ପ୍ରତିଶୋଧ ନେବା ପୂର୍ବକ ଲେବାନନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା।
ଇସ୍ରାଏଲ ସେନାର କହିବା ଅନୁଯାୟୀ ହେଜବୋଲ୍ଲାର ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲାଗି ୮୦ଟି ସ୍ଥାନରେ ବୋମାମାଡ କରାଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଆମ ସୈନିକଙ୍କ ଉପରେ ଆକ୍ରମଣ ପାଇଁ ହେଜବୋଲ୍ଲାକୁ ବହୁମୂଲ୍ୟ ଦେବାକୁ ପଡିବ। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନର ସମ୍ମୁଖୀନ ହେବାକୁ ଥିବା ନେତାନ୍ୟାହୁ ଲେବାନନ୍ରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ହେଜବୋଲ୍ଲା ବିପଦ ଦୂର ନ ହେବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଲେବାନନରେ ରହିବ। ଇସ୍ରାଏଲ ଓ ଲେବାନନ୍ର ହେଜବୋଲ୍ଲା ମଧ୍ୟରେ ଅସ୍ତ୍ରବିରତି ପାଇଁ ଶୁକ୍ରବାର ସମ୍ମତି ପ୍ରକାଶ ପାଇବା ପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିଛି। ଶୁକ୍ରବାର ଅପରାହ୍ଣ ୪ଟାରୁ ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବାକୁ ସମ୍ମତି ପ୍ରକାଶ ପାଇଥିଲା।
ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ବୁଝାମଣା ଏବେ ବିପଦରେ ପଡିଛି। ଇସ୍ରାଏଲର ଆକ୍ରମଣ ପରେ ଇରାନ ପରବର୍ତ୍ତୀ ଶାନ୍ତି କଥାବାର୍ତ୍ତାରୁ ଓହରି ଯାଇଛି। ସ୍ବିଜରଲ୍ୟାଣ୍ଡର ଜେନେଭାରେ ଆମେରିକା ପ୍ରତିନିଧି ଓ ଇରାନ ପ୍ରତିନିଧିଙ୍କ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ଶାନ୍ତି କଥାବାର୍ତ୍ତାକୁ ବନ୍ଦ ରଖିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବଘେଇ କହିଛନ୍ତି ଯେ ଆମେରିକା ସହ ହେବାକୁ ଥିବା ବୁଝାମଣାରେ ଡିଜିଟାଲ ସ୍ବାକ୍ଷର ହୋଇସାରିଛି। ତେଣୁ ଏବେ ଆଉ ବୈଠକ କରିବାର କୌଣସି ଜରୁରୀ ଆବଶ୍ୟକତା ନାହିଁ। ଏହି ବୈଠକ ପରବର୍ତ୍ତୀ ସମୟରେ କରାଯିବ। ଇରାନ ବୈଠକରୁ ଓହରିଯିବା ପରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କର ଜେନେଭା ଗସ୍ତକୁ ବାତିଲ କରିଛନ୍ତି। କାରଣ ଭାନ୍ସଙ୍କ ନେତୃତ୍ବରେ ଆମେରିକା ପ୍ରତିନିଧି ଦଳ ଜେନେଭାରେ ଇରାନ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ଶୁକ୍ରବାରକୁ ଧାର୍ଯ୍ୟ ହୋଇଥିଲା। ଇରାନ ଆହୁରି କହିଛି ଶାନ୍ତି କଥାବାର୍ତ୍ତା ହେବା ପୂର୍ବରୁ ଲେବାନନ୍ ଉପରେ ଆକ୍ରମଣ ବନ୍ଦ ହେବା ଦରକାର। ଆମେରିକା ଓ ଇରାନ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଶାନ୍ତି ବୁଝାମଣା ଉପରେ ଆଗାମୀ ୬୦ଦିନ ଧରି ଜେନେଭାରେ ସବିଶେଷ ଆଲୋଚନା କରାଯିବ। ଏହି ୬୦ଦିନ ମଧ୍ୟରେ ଇରାନ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡିକ ଉପରୁ କୌଣସି ଶୁଳ୍କ ଆଦାୟ କରିବ ନାହିଁ ବୋଲି କହିଛି।
Comments ସମସ୍ତ ମତାମତ