ମୁଖ୍ୟ ଖବର
ତେହରାନ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ କରାଯାଇଥିବା କେତେକ ଦାବିକୁ ଇରାନ ଅଯୌକ୍ତିକ ବୋଲି ଦର୍ଶାଇଛି। ଇରାନ ସରକାରୀ ଗଣମାଧ୍ୟମ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ସତ୍ୟ ଏବଂ ମିଥ୍ୟାର ମିଶ୍ରଣ ବୋଲି ଅଭିହିତ କରିଛି। ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ ଯେ, ସେ ଇରାନ ସହ ଶାନ୍ତି ଚୁକ୍ତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ‘ସିଚ୍ୟୁଏସନ ରୁମ୍’ରେ ବୈଠକ କରୁଛନ୍ତି। ସ୍ବାକ୍ଷର ହେବାକୁ ଯାଉଥିବା ପ୍ରସ୍ତାବିତ ଚୁକ୍ତିର ସର୍ତ୍ତ ଅନୁଯାୟୀ ଇରାନ ନିଜର ସମସ୍ତ ସମୃଦ୍ଧ ୟୁରାନିୟମ୍ ନଷ୍ଟ କରିବାକୁ କିମ୍ବା ଆମେରିକାକୁ ହସ୍ତାନ୍ତର କରିବାକୁ ରାଜି ହୋଇଛି। ଏଥିସହ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ମୁକ୍ତ କରିବ ଏବଂ ସେଠାରେ ବିଛାଯାଇଥିବା ସମସ୍ତ ସାମୁଦ୍ରିକ ମାଇନ୍ସ ହଟାଇବ। ବଦଳରେ ଆମେରିକା ଇରାନ ବନ୍ଦରଗୁଡ଼ିକ ଉପରୁ ନିଜର ନୌସେନା ଅବରୋଧ ହଟାଇବ ଏବଂ କେତେକ ଆର୍ଥିକ କଟକଣା କୋହଳ କରିବ।
ଇରାନ କହିଛି ଯେ, ଚୁକ୍ତିର ଚିଠା ପ୍ରସ୍ତାବ ଅନୁଯାୟୀ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ ବୋଲି ଟ୍ରମ୍ପ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ସେଭଳି କୌଣସି ସର୍ତ୍ତ ଚିଠା ଚୁକ୍ତିରେ ନାହିଁ। ଇରାନର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି ଯେ, ପ୍ରାଥମିକ ସହମତିପତ୍ରରେ ପରମାଣୁ ପ୍ରସଙ୍ଗ ସାମିଲ ନାହିଁ। ଇରାନ ନିଜର ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ଆମେରିକାକୁ ଦେବା କଥାକୁ ସମ୍ପୂର୍ଣ୍ଣ ସେ ଅସ୍ୱୀକାର କରିଛନ୍ତି।
Comments ସମସ୍ତ ମତାମତ