ମୁଖ୍ୟ ଖବର
ନୂଆଦିଲ୍ଲୀ; ମଧ୍ୟପ୍ରାଚ୍ୟ ଯୁଦ୍ଧର ଅବସାନ ପାଇଁ ଗତକାଲି ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଶାନ୍ତି ଆଲୋନଚା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଆଲୋନଚା ହୋଇଥିଲା । ହୋର୍ମୁଜ ପ୍ରଣାଳୀ, ଲେବାନନ୍ ବିବାଦ ଏବଂ ଯୁଦ୍ଧବିରତି ଉପରେ ଚର୍ଚ୍ଚା ହୋଇଥିଲା । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଲୋଚନା ବିଫଳ ହୋଇଥିବା କହିଛନ୍ତି । ସେ କହିଛନ୍ତି, ଆମେରିକା ବିନା ନିଷ୍କର୍ସରେ ଫେରିଯାଉଛି । ଇରାନକୁ ବେଷ୍ଟ ଅଫର୍ ଦେଇଥିଲୁ ହେଲେ ସେ ରାଜି ହେଲାନାହିଁ । ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ଫେଲ୍ ହୋଇଛି ।
ମଧ୍ୟପ୍ରାଚ୍ୟ ବିବାଦର ଅନ୍ତ ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଅନୁଷ୍ଠିତ ଆମେରିକା ଏବଂ ଇରାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିନା ସହମତିରେ ଶେଷ ହୋଇଛି । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୨୧ ଘଣ୍ଟା ଧରି ଆଲୋଚନା ସତ୍ତ୍ୱେ, ଦୁଇ ଦେଶ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ଦୁଇ ଦେଶ ମଧ୍ୟରେ ୩ ପର୍ଯ୍ୟାୟ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ଷରେ ପହଞ୍ଚିପାରି ନଥିଲା । ଆମେରିକାର ପ୍ରାଥମିକ ଦାବି ହେଉଛି, ଇରାନ ଯେକୌଣସି ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ କିମ୍ବା ସମ୍ପର୍କିତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ପଷ୍ଟ ଏବଂ ଠୋସ୍ ପ୍ରତିବଦ୍ଧତା ପ୍ରକାଶ କରୁ । କିନ୍ତୁ ଇରାନ ପାଳନ କରିବାକୁ ଅନିଚ୍ଛୁକ ରହିଲା । ଆମକୁ ଦୃଢ଼ ଗ୍ୟାରେଣ୍ଟି ଆବଶ୍ୟକ ଯେ, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରିବ ନାହିଁ । ଆମେ କୌଣସି ଚୁକ୍ତିନାମାରେ ପହଞ୍ଚି ନପାରି ଆମେରିକାକୁ ଫେରିଯାଉଛୁ । "
ଜେଡି ଭାନ୍ସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଦୁଃଖଦ ଖବର ହେଉଛି ଯେ, ଆମେ କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ମୁଁ ଭାବୁଛି ଏହା ଆମେରିକା ଅପେକ୍ଷା ଇରାନ ପାଇଁ ଅଧିକ ଖରାପ ଖବର । ତେଣୁ, ଆମେ କୌଣସି ଚୁକ୍ତିରେ ପହଞ୍ଚି ନପାରି ଆମେରିକାକୁ ଫେରିଯାଉଛୁ । ସେମାନେ ଆମର ସର୍ତ୍ତାବଳୀ ଗ୍ରହଣ କରିବାକୁ ମନା କରିଛନ୍ତି । ଆମେ ୨୧ ଘଣ୍ଟା ଧରି ଏହି କାର୍ଯ୍ୟରେ ଅଛୁ ଏବଂ ଇରାନମାନଙ୍କ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛୁ । ଖରାପ ଖବର ହେଉଛି ଯେ ଆମେ କୌଣସି ଚୁକ୍ତିରେ ପହଞ୍ଚି ନାହୁଁ।"
ଇରାନର ମତ- ଇରାନର ମତ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ କହିଛନ୍ତି ଯେ, ଆଲୋଚନାର ସଫଳତା ଅନ୍ୟ ପକ୍ଷ କେତେ ଆନ୍ତରିକତା ଏବଂ ସନ୍ତୁଳନ ଦେଖାଉଛି ତାହା ଉପରେ ନିର୍ଭର କରେ । ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ, ହୋର୍ମୁଜ୍ ପ୍ରଣାଳୀ, ପରମାଣୁ କାର୍ଯ୍ୟକ୍ରମ, ପ୍ରତିବନ୍ଧକ ଉଠାଇବା, ଯୁଦ୍ଧ କ୍ଷତିପୂରଣ ଏବଂ ସମଗ୍ର ଅଞ୍ଚଳରେ ଶତ୍ରୁତା ସମାପ୍ତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେ ଆମେରିକା ଉପରେ ଅତ୍ୟଧିକ ଏବଂ ଅବୈଧ ଦାବି କରୁଥିବା ଅଭିଯୋଗ କରିଛନ୍ତି ।
ଏବେ କ'ଣ ହେବ ? ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଫଳରେ ସମଗ୍ର ବିଶ୍ୱ ପାଇଁ ଶକ୍ତିର ଉତ୍ସ ଭାବରେ ବିବେଚିତ ମଧ୍ୟପ୍ରାଚ୍ୟର ଭବିଷ୍ୟତ ବିଷୟରେ ଅନେକ ପ୍ରଶ୍ନ ଉଠିଛି । ହୋର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଇରାନ ପକ୍ଷରୁ କୌଣସି ଦୃଢ଼ ପ୍ରତିଶ୍ରୁତି ନ ମିଳିବାରୁ, ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ ଯୋଗାଣ ଅବରୋଧ ଜାରି ରହିବ । ଇସଲାମାବାଦ ଗସ୍ତ ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ପରବର୍ତ୍ତୀ ସମୟରେ କ'ଣ ହେବ ତାହା ସ୍ପଷ୍ଟ କରିନାହାନ୍ତି । ସେ ଇଙ୍ଗିତ ଦେଇଥିଲେ ଯେ ଇରାନ ଏବେ ବି ଫେରି ଆସି ଆମେରିକାର ଶେଷ ଏବଂ ସର୍ବୋତ୍ତମ ପ୍ରସ୍ତାବକୁ ଗ୍ରହଣ କରିପାରିବ, କିନ୍ତୁ ମତଭେଦ ସମାଧାନ ପାଇଁ ଭବିଷ୍ୟତ ଆଲୋଚନା ବିଷୟରେ ସେ କୌଣସି ବିବରଣୀ ଦେଇନାହାନ୍ତି । ଯଦି ଦୁଇ ଦେଶ ଜିଦରେ ଅଟଳ ରୁହନ୍ତି, ତେବେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ବଢ଼ିବାର ସମ୍ଭାବନା ଅଛି । ସମଗ୍ର ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇପାରେ ।
Comments ସମସ୍ତ ମତାମତ