ମୁଖ୍ୟ ଖବର
ତେହେରାନ: ଇରାନ ରକ୍ତମୁଖା ହେବାରେ ଲାଗିଛି। ଆମେରିକା ଓ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାରେ ଲାଗିଛି। ଅଟକାଯାଇଥିବା ଏକ ପ୍ରୋଜେକ୍ଟାଇଲର ଭଗ୍ନାବଶେଷ ଦୁବାଇର ଆର୍ଥିକ କେନ୍ଦ୍ରରେ ଥିବା ଏକ କୋଠା ଉପରେ ପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦୁବାଇରେ ଏହା ଦ୍ୱିତୀୟ ଆକ୍ରମଣ। ଏଥିରେ କୌଣସି ଅଗ୍ନିକାଣ୍ଡ ଘଟି ନାହିଁ କିମ୍ବା କେହି ହତାହତ ହୋଇଥିବାର ରିପୋର୍ଟ ମିଳି ନାହିଁ। ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି ଦୁବାଇ ମିଡିଆ ଅଫିସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛି।
ଇରାକର ରାଜଧାନୀ ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଏକ କ୍ଷେପଣାସ୍ତ୍ର ମାଡ଼ କରିଛି। ଦୁଇ ଜଣ ଇରାକୀ ସୁରକ୍ଷା ଅଧିକାରୀ କହିଛନ୍ତି, ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ ପରିସର ଭିତରେ ଏକ ହେଲିପ୍ୟାଡ୍ରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ତେବେ ଏନେଇ ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଶୁକ୍ରବାର ଦୂତାବାସ ଇରାକ ପାଇଁ ସ୍ତର-୪ ସୁରକ୍ଷା ସତର୍କତା ଜାରି କରିଥିଲା। ଏଥିରେ ଚେତାବନୀ ଦିଆଯାଇଥିଲା ଯେ ଇରାନ ତଥା ଇରାନ-ସମର୍ଥିତ ମିଲିସିଆ ଗୋଷ୍ଠୀଗୁଡ଼ିକ ପୂର୍ବରୁ ଆକ୍ରମଣ କରିଥିବା ଆମେରିକୀୟ ଭିତ୍ତିଭୂମିକୁ ପୁଣି ଥରେ ଟାର୍ଗେଟ କରିପାରନ୍ତି।
ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ, ବିଶ୍ୱର ସବୁଠାରୁ ବଡ଼ ଆମେରିକୀୟ କୂଟନୈତିକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ। ଅତୀତରେ ଇରାନ-ସମର୍ଥିତ ମିଲିସିଆ ଦ୍ୱାରା ବାରମ୍ବାର ରକେଟ ଏବଂ ଡ୍ରୋନ ଆକ୍ରମଣରେ ଏହାକୁ ଟାର୍ଗେଟ କରାଯାଇଛି। ଇରାନରେ ଅନେକ ଇରାନ-ସମର୍ଥିତ ମିଲିସିଆ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏହି ଆକ୍ରମଣ କରିବା ପାଇଁ ଇରାନ ସହିତ ସମନ୍ୱୟ ସ୍ଥାପନ କରୁଛନ୍ତି।
Comments ସମସ୍ତ ମତାମତ