ମୁଖ୍ୟ ଖବର
ତେହେରାନ:ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମେନେଇ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ନିଜର ବୟାନ ଜାରି କରିଛନ୍ତି। ସେ ଆମେରିକା ଓ ବିଶ୍ୱର ପ୍ରମୁଖ ବାଣିଜ୍ୟକ ଜଳପଥ ହର୍ମୁଜକୁ ନେଇ ନିଜର କଠୋର ଆଭିମୁଖ୍ୟ ପୂରା ଦୁନିଆକୁ ଜଣାଇଛନ୍ତି।ଆମେରିକା ଓ ମଧ୍ୟପ୍ରାଚ୍ୟରେ ଥିବା ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଧମକ ଦେଇ ମୋଜତାବା କହିଛନ୍ତି ଯେ “ଏହି ଅଞ୍ଚଳରେ ଥିବା ସମସ୍ତ ଆମେରିକୀୟ ବେସ୍କୁ ବନ୍ଦ କରାଯାଉ। ନଚେତ ସେଗୁଡ଼ିକ ଉପରେ ଭୟଙ୍କର ହମଲା ହେବ। ମୁଁ ପରାମର୍ଶ ଦେଉଛି ଯେ ସେମାନେ ନିଜ ଦେଶରେ ଖୋଲିଥିବା ଆମେରିକା ବେସ୍ଗୁଡ଼ିକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ। କାରଣ ସେମାନେ ଏବେ ଜାଣି ସାରିଛନ୍ତି ଯେ ସେମାନଙ୍କୁ ଆମେରିକା ଦ୍ୱାରା ଦିଆଯାଇଥିବା ଗ୍ୟାରେଣ୍ଟୀ ମିଛ ଛଡ଼ା ଆଉ କିଛି ନଥିଲା।” ଏପରି ବୟାନକୁ ସ୍ଥାନୀୟ ଗଣମାଧ୍ୟମ ଜରିଆରେ ସାର୍ବଜନୀନ କରାଯାଇଛି।ମୋଜତାବା ନିଜେ ଏହାକୁ ନ ପଢ଼ି ନାହାନ୍ତି। ତାଙ୍କ ବିବୃତିକୁ ଇରାନୀୟ ଟିଭି ଚ୍ୟାନେଲର ଉପସ୍ଥାପକ ପଢ଼ି ସମସ୍ତଙ୍କୁ ଅବଗତ କରାଇଛନ୍ତି। ଆମେରିକା ଓ ଇସ୍ରାଏଲ ସହ ଇରାନର ଯୁଦ୍ଧ ତୀବ୍ର ହେଉଥିବା ବେଳେ ମୋଜତାବାଙ୍କ ଏପରି ବୟାନ ସ୍ଥିତିକୁ ଆହୁରି ଜଟିଳ କରିଛି।
ଇରାନର ସୁପ୍ରିମ ଲିଡର ଭାବେ ମୋଜତାବା ନିଯୁକ୍ତି ପାଇଥିଲେ ହେଁ ଏଯାଏ ସର୍ବସମ୍ମୁଖକୁ ଆସି ନାହାନ୍ତି। ସେହିପରି ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ତାଙ୍କ ବାପା ଆୟୋତୁଲ୍ଲୀ ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଆହତ ହୋଇଥିବା ମଧ୍ୟ କୁହାଯାଉଛି। ସେ ଏବେ ନିଜର ପ୍ରଥମ ପ୍ରତିକ୍ରିୟାରେ ଆମେରିକୀୟ ମିଲିଟାରୀ ପ୍ରତିଷ୍ଠାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଇରାନୀୟ ସୁପ୍ରିମ ଲିଡର ମୋଜତାବା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ବଦଲା ନେବାକୁ ପଣ କରିଛନ୍ତି। ସେ ଦାବି କରିଛନ୍ତି ଯେ ଇରାନ ନିଶ୍ଚିତ ଭାବେ ନିଜର ଶତ୍ରୁ ଠାରୁ ଯୁଦ୍ଧରେ ହୋଇଥିବା କ୍ଷତିପୂରଣ ହାସଲ କରିବ। ଯଦି ଶତ୍ରୁପକ୍ଷ କ୍ଷତିପୂରଣ ଦେବାକୁ ମନା କରିବ, ତା’ହେଲେ ତେହରାନ ଏହାକୁ ବଳପୂର୍ବକ ସେମାନଙ୍କ ସମ୍ପତ୍ତିରୁ ହାସଲ କରିବ କିମ୍ବା ବ୍ୟାପକ ଢଙ୍ଗରେ କ୍ଷତି ପହଞ୍ଚାଇବା ବୋଲି ମୋଜତାବା କହିଛନ୍ତି।
ସେ କହିଛନ୍ତି, “ଏହି ପ୍ରତିଶୋଧର ଗୋଟିଏ ସୀମିତ ଅଂଶ ସଠିକ ଢଙ୍ଗରେ ନିଆଯାଇ ସାରିଛି। କିନ୍ତୁ ଯେଉଁ ପର୍ୟ୍ୟନ୍ତ ସଂପୂର୍ଣ୍ଣ ଭାବେ ବଦଲା ନିଆ ନ ଯାଇଛି, ସେଯାଏ ପୂରା ପ୍ରସଙ୍ଗ ଆମର ପ୍ରାଥମିକତା ହୋଇ ରହିବ। ଇରାନ କେବେ ବି ପଛକୁ ହଟିବ ନାହିଁ। ପୂରା ଶକ୍ତିର ସହ ବଦଲା ନିଆଯିବ। କେବଳ ଦିବଂଗତ ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ନୁହେଁ ବରଂ ଯୁଦ୍ଧରେ ଜୀବନ ହରାଇଥିବା ସମସ୍ତ ନାଗରିକଙ୍କ ପ୍ରତିଶୋଧ ଇରାନ ନେବ।”ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଇରାନର ଆଭିମୁଖ୍ୟକୁ ମଧ୍ୟ ମୋଜତାବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ବିବାଦ ମଧ୍ୟରେ ଇରାନ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ନିଶ୍ଚିତ ଭାବେ ବନ୍ଦ କରି ରଖିବ। ଏବେ ବି ଇରାନ ନିଜର ଆଭିମୁଖ୍ୟ ଅଟଳ ଥିବା ମୋଜତାବା ସ୍ପଷ୍ଟ କରିଛନ୍ତି। ସମାନ ସମୟରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ଇରାନର ନୀତି ସମ୍ପର୍କରେ ସେ ମତ ରଖିଛନ୍ତି। ବିବୃତି ଅନୁସାରେ ମୋଜତାବା କହିଛନ୍ତି ଯେ ଆଞ୍ଚଳିକ ଦେଶଗୁଡ଼ିକ ସହ ଇରାନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସମର୍ଥନ କରେ। କିନ୍ତୁ ପଡ଼ୋଶୀ ଦେଶଗୁଡ଼ିକ ଆମେରିକା ସୁରକ୍ଷାବଳକୁ ସହାୟତା କରନ୍ତୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।
ତାଙ୍କ କହିବା କଥା ଯେ ଇରାନ କେବେ ହେଲେ ନିଜ ଦେଶର ଲୋକଙ୍କ ହତ୍ୟାର ବଦଳା ନେବାକୁ ପଛାଇବ ନାହିଁ। ବିଶେଷ କରି ଦେଶର ଦକ୍ଷିଣ ପ୍ରାନ୍ତରେ ଥିବା ମିନାବ ସ୍ଥିତି ସ୍କୁଲ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ସେ ମତ ରଖିଛନ୍ତି। ଏଠାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୮ରୁ ୧୨ ବର୍ଷ ମଧ୍ୟରେ ପ୍ରାୟ ୧୬୧ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୋଜତାବା କହିଛନ୍ତି, “ଆମେ କେବେ ହେଲେ ଇରାନୀୟଙ୍କ ରକ୍ତର ବଦଲା ନେବାକୁ ପଛଘୁଞ୍ଚା ଦେବୁ ନାହିଁ।”
Comments ସମସ୍ତ ମତାମତ