ମୁଖ୍ୟ ଖବର
ଭୁବନେଶ୍ବର: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିରେ ଜାମ୍ମୁ-କାଶ୍ମୀରରେ ଦେଖା ଦେଇଛି ଜରୁରୀକାଳୀନ ପରିସ୍ଥିତି । ଏହି ପରିପ୍ରେକ୍ଷୀରେ ଜାମ୍ମୁ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଜାମ୍ମୁରେ ଅଧ୍ୟୟନରତ ଅଛନ୍ତି ୧୧୪ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା କରାଯାଉଛି । ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ୟ୍ୟାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଛାତ୍ରଛାତ୍ରୀଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ବରିଷ୍ଠ ଅଧିକାରୀ ଓ ୧୬ ଜଣ ସହଯୋଗୀ କର୍ମଚାରୀ ଏବଂ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ୟ୍ୟାଳୟର ଅଧିକାରୀଙ୍କୁ ଛାତ୍ରଛାତ୍ରୀଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦାୟିତ୍ୱରେ ନିୟୋଜିତ କରାଯାଇଛି । ସମ୍ପୃକ୍ତ ଅଧିକାରୀମାନେ ଏହି କାର୍ୟ୍ୟର ତଦାରଖ କରୁଛନ୍ତି । ଆଜି ସୁଦ୍ଧା ଓଡ଼ିଆ ଛାତ୍ରଛାତ୍ରୀମାନେ ଯେପରି ଓଡ଼ିଶାରେ ସୁରକ୍ଷିତ ଭାବରେ ପହଂଚିପାରିବେ ତାହା ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ୟ୍ୟାଳୟ ପକ୍ଷରୁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ଓ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।ଭୁବନେଶ୍ୱରର ସଂସ୍କୃତି ଭବନରେ କାର୍ୟ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇବା ପାଇଁ ରାଜ୍ୟ ସରକାର କାର୍ୟ୍ୟ କରୁଛନ୍ତି । ଏଥିସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ବ୍ୟସ୍ତ ବିବ୍ରତ ନହୋଇ ତୁରନ୍ତ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ ଦିଆଯାଇଛି ।
Comments ସମସ୍ତ ମତାମତ