ମୁଖ୍ୟ ଖବର
ବରଗଡ଼: ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍ଏଫ୍ଏମ୍ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍ସିଡି) ରିଲିଜ୍ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର ଅଧୀନରେ ଗାଇସିଲେଟ ବ୍ଲକରେ କାର୍ଯ୍ୟରତ ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ(ଡିଆର୍ପି) ରାକ୍ଷୀ ମେହେରଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ବୁଧବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା(ନଂ-୫/୨୬) ରୁଜୁ କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନାରେ ଜଣେ ହିତାଧିକାରୀ ଏକ ବକେରୀ ୟୁନିଟ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ଏହି ୟୁନିଟ୍ ସ୍ଥାପନ ପାଇଁ ତାଙ୍କୁ ୮ଲକ୍ଷ ୬୪ହଜାର ଟଙ୍କା ଋଣ ମଞ୍ଚୁର ହୋଇଥିଲା। ଗତ ମାର୍ଚ୍ଚରେ ଏହି ଋଣ ଟଙ୍କା ରିଲିଜ୍ ହୋଇଥିଲା। ଅନ୍ୟପଟେ ଏହି ଋଣର ୩୫ପ୍ରତିଶତ ସବ୍ସିଡି(ରିହାତି) ବାବଦକୁ ୩ଲକ୍ଷ ୨ହଜାର ୪୦୦ ଟଙ୍କା ଏପର୍ଯ୍ୟନ୍ତ ରିଲିଜ୍ ହୋଇ ପାରି ନଥିଲା। ଏ ନେଇ ହିତାଧିକାରୀ ଡିଆର୍ପି ମେହେରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଡିଆର୍ପି ମେହେର ସେ ଦିଗରେ ପଦକ୍ଷେପ ନେବା ବଦଳରେ ୩୦ହଜାର ଟଙ୍କା ଲାଞ୍ଚ ଦେଲେ ଯାଇ ସବ୍ସିଡି ରିଲିଜ୍ ପାଇଁ ଫାଇଲ୍ ପ୍ରୋସେସିଂ କରିବେ ବୋଲି କହିଥିଲେ।
କେବଳ ସେତିକି ନୁହେଁ, ଡିଆର୍ପି ମେହେର ସେହି ଲାଞ୍ଚ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ କହିବା ସହିତ ନିଜ ମୋବାଇଲ ନମ୍ବରରୁ ହିତାଧିକାରୀଙ୍କ ମୋବାଇଲ ନମ୍ବରକୁ ଏସ୍ଏମ୍ଏସ୍ ଯୋଗେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇଥିଲେ। ହିତାଧିକାରୀ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ସମ୍ପୃକ୍ତ ଡିଆର୍ପିଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।
ଯୋଜନା ଅନୁଯାୟୀ, ବୁଧବାର ହିତାଧିକାରୀ ଜଣକ ଡିଆର୍ପି ମେହେରଙ୍କ ଆକାଉଣ୍ଟରେ ଲାଞ୍ଚ ବାବଦକୁ ୩୦ହଜାର ଟଙ୍କା ଜମା କରିଥିଲେ। ସେହି ସମୟରେ ବାହାରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ଗାଇସିଲେଟ୍ସ୍ଥିତ ଡିଆର୍ପି ମେହେରଙ୍କ କାର୍ଯ୍ୟାଳୟକୁ ପଶି ତନାଘନା ଚଳାଇଥିଲେ। ଡିଆର୍ପି ମେହେରଙ୍କ ଆକାଉଣ୍ଟରେ ୩୦ହଜାର ଟଙ୍କା ଜମା ହୋଇଥିବା ନେଇ ତାଙ୍କ ମୋବାଇଲ ନମ୍ବରକୁ ମଧ୍ୟ ବ୍ୟାଙ୍କରୁ ଏସ୍ଏମ୍ଏସ୍ରେ ସୂଚନା ଆସିଥିଲା। ଏହାପରେ ମୋବାଇଲ ଜବତ ସହିତ ଡିଆର୍ପିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସେହିପରି ଡିଆର୍ପି ମେହେରଙ୍କ ଗାଇସିଲେଟ ବ୍ଲକସ୍ଥିତ କଲଙ୍ଗାପାଲି ଭଡ଼ାଘର, ବିଜେପୁର ବ୍ଲକ ଏମ୍.ଶ୍ରୀଗିଡ଼ାସ୍ଥିତ ନିଜଘର ଏବଂ ତାଙ୍କ ଅଫିସ ରୁମ୍ରେ ଭିଜିଲାନ୍ସ ଛାନ୍ଭିନ୍ ଚଳାଇଥିଲା।
Comments ସମସ୍ତ ମତାମତ