ମୁଖ୍ୟ ଖବର
କଟକ:ଭବ୍ୟ ସ୍ୱାଗତ ସମାରୋହ ମଧ୍ୟରେ ନେତାଜୀଙ୍କ ବାସ ଭବନରେ ପହଞ୍ଚିଛନ୍ତି ଉପ ରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ । ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଭବନରେ ପହଞ୍ଚି ସଂଗ୍ରହାଳୟ ବୁଲି ଦେଖିଛନ୍ତି । ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ ତଥା କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟରେ ‘ପରାକ୍ରମ ଦିବସ' ଉତ୍ସବ ପାଳିତ ହେଉଛି । ଏହି ଉତ୍ସବରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।ଆଜି ସକାଳେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟପାଳ ଓ ଅନ୍ୟମାନେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ପରେ ସେ କଟକ ନେତାଜୀ ଭବନ ଅଭିମୁଖେ ଯାଇଥିଲେ । ସେଠାରେ ନେତାଜୀ ସଂଗ୍ରହାଳୟରେ ନୂତନ ଆଇଏନଏ ଫିଲାଟେଲି ଗ୍ୟାଲେରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉପରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡ. ହରିବାକୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ଅବସରରେ ବ୍ୟାଖ୍ୟାନ କେନ୍ଦ୍ରଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀର ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପରାଷ୍ଟ୍ରପତିଙ୍କ ସହ ଏହି ଗସ୍ତରେ ସାମିଲ ହୋଇଛନ୍ତି ।
ସେଠାରେ ସଂସ୍କୃତି ଭବନର ଉଦ୍ଘାଟନ ହେବ ଓ ସେଠାରେ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ବକ୍ତବ୍ୟ ରଖିବେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ସଂଗ୍ରହାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହି କଟକଣା ସକାଳ ୭ଟାରୁ ଦି ଦିନ ୧ଟା ପର୍ଯ୍ୟନ୍ତ ଲାଗୁ ରହିବ ।
Comments ସମସ୍ତ ମତାମତ