ମୁଖ୍ୟ ଖବର
କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେଉଥିବା ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ ଯୋଗଦେବ । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଉପରାଷ୍ଟ୍ରପତିଙ୍କ ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିରେ ପ୍ରାୟ ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ ଓ କର୍ମୀ ସାମିଲ ହେବେ । ଅପରପକ୍ଷେ ବୁଧବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମ୍ୟୁଜିୟମ ପରିସର ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।
ଉପରାଷ୍ଟ୍ରପତି କାର୍ ଯୋଗେ ଭୁବନେଶ୍ୱରରୁ ସିଧା ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ପହଞ୍ଚିବେ । ପ୍ରଥମେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଂଗ୍ରହାଳୟ ବୁଲି ଦେଖିବେ । ପରେ ନିକଟରେ ଥିବା ସଂସ୍କୃତି ଭବନରେ ଆୟୋଜିତ ହେଉଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ୍ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏହି ଅବସରରେ ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ତିନି ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ କଟକ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ପ୍ରୋଟୋକଲ୍ ଅନୁସାରେ ଜେଡ୍ ପ୍ଲସ୍ ବା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଥିରେ ୩୫ ପ୍ଲାଟୁନ୍ ଅର୍ଥାତ୍ ପ୍ରାୟ ୯୦୦ ପୁଲିସ କର୍ମୀ ଦାୟିତ୍ୱରେ ରହିବେ । ସେହିପରି ୧୫୦ରୁ ଅଧିକ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ । ପୁଲିସ କମିସନର ଓ ଡିସିପି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହିବେ ।
Comments ସମସ୍ତ ମତାମତ