ମୁଖ୍ୟ ଖବର
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଉଦ୍ଯାପନୀ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଭାରତର ପୂର୍ବତନ ଉପରାଷ୍ଟ୍ରପତି ପଦ୍ମ ବିଭୂଷଣ ଏମ୍. ଭେଙ୍କେୟା ନାଇଡୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାରତ ବିଶ୍ବଗୁରୁ ହେବାରେ ସଂସ୍କୃତିର ଭୂମିକା ଅନବଦ୍ୟ ବୋଲି କହିଥିଲେ। ଏକତା ଆମ ଦେଶର ସାଂସ୍କୃତିକ ବୈଶିଷ୍ଟ୍ୟ, ଭିନ୍ନ ବିବିଧତା ସତ୍ତ୍ୱେ ଆମ ସଂସ୍କୃତି ହିଁ ଆମକୁ ଐକ୍ୟ ସୂତ୍ରରେ ବାନ୍ଧି ରଖିପାରିଛି। ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟ ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିଛି। ସମସାମୟିକ ପରମ୍ପରା ଓ ଆଧୁନିକତା ମଧ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏକ ସମନ୍ୱୟର ସେତୁ ସଦୃଶ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିଭିନ୍ନ ମନ୍ଦିରର ସ୍ଥାପତ୍ୟ ଓ ଭାସ୍କର୍ୟ୍ୟ ସମଗ୍ର ବିଶ୍ୱରେ ବିସ୍ମୟ ବୋଲି ମତ ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ଆମ ପ୍ରାଚୀନ କଳା ଓ ଭାସ୍କର୍ୟ୍ୟର ପରିଚୟ ଦିଏ। ଆମ ଜଗନ୍ନାଥ ସଂସ୍କୃତି ସାମ୍ୟ, ମୈତ୍ରୀ, ଏକତା ଓ ଭ୍ରାତୃତ୍ୱବାଦର ବାର୍ତ୍ତା ଦିଏ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆମ କଳା, ସଂସ୍କୃତି, ଭାଷା ଓ ସାହିତ୍ୟର ସଂରକ୍ଷଣ ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମର କଳା, ସଂସ୍କୃତି, ଭାଷା ଓ ସାହିତ୍ୟ ନିମନ୍ତେ ଏହି ବିଶ୍ୱବିଦ୍ୟାଳୟ ଏକ ପ୍ରୟୋଗଶାଳା ବୋଲି ମତ ଦେଇଥିଲେ। ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟ ଓ ନୂତନ କ୍ରୀଡ଼ା ସୌଧର ନିର୍ମାଣ କାର୍ୟ୍ୟ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ସେ କହିଥିଲେ।
ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶ୍ୱବିଦ୍ୟାଳୟ ଉଭୟ ବୌଦ୍ଧିକ ବିକାଶ ଓ ସାଂସ୍କୃତିକ ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି କହିଥିଲେ। କୁଳପତି ପ୍ରଫେସର ପ୍ରସନ୍ନ ସ୍ୱାଇଁ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ସାହିତ୍ୟ ପତ୍ରିକା ‘ରୂପାୟନ’, ଗବେଷଣାତ୍ମକ ପୁସ୍ତକ ‘ସାରଳା ସାହିତ୍ୟ : ଭୂମି ଓ ଭୂମିକା’, ବିଶ୍ୱବିଦ୍ୟାଳୟର ପ୍ରଥମ ଗବେଷଣା ପତ୍ରିକା ‘ପରମ୍ପରା’ ଓ ଦୃଶ୍ୟକଳା ବିଭାଗର ଚିତ୍ର ପୁସ୍ତିକା ‘ସୃଷ୍ଟି-୯’ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ନୂତନ ଆର୍ଟ ଗ୍ୟାଲେରି ଉଦ୍ଘାଟିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର। ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା।
Comments ସମସ୍ତ ମତାମତ