ମୁଖ୍ୟ ଖବର
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ଓଡିଆଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, "ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା । ଆଜିର ପବିତ୍ର ଦିନରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେହି ବରେଣ୍ୟ ସନ୍ତାନମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆସନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ଆମର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ଆହୁରି ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ହେବା । ବନ୍ଦେ ଉତ୍କଳ ଜନନୀ "
ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ ପ୍ରଣାମ । ଚଳିତବର୍ଷ ଉତ୍କଳ ଦିବସ ଅବସରରେ ଆଜିଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ୟ୍ୟନ୍ତ ୧୫ ଦିନ ଧରି 'ଓଡ଼ିଆ ପକ୍ଷ' ଭାବେ ଧୁମ୍ଧାମ୍ରେ ପାଳନ କରାଯିବ ।
ରାଜ୍ୟ ପାଇଁ ଆଜି ଏକ ଗରିମାମୟ ଦିବସ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ନିଜ ଭାଷା, ରାଜ୍ୟ, ଐତିହ୍ୟ, ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଦେଶର ବହୁ ଉଚ୍ଚ ପଦପଦବୀରେ ଏବେ ଓଡ଼ିଆମାନେ ରହି ଦେଶର ପ୍ରଗତିରେ ଅସୀମ ଯୋଗଦାନ ଦେଉଛନ୍ତି । ଆଜି ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବର ଦିନ ।
Comments ସମସ୍ତ ମତାମତ