ମୁଖ୍ୟ ଖବର
ପିଲଭିତ : ୨୦୨୨ ମାର୍ଚ୍ଚରେ ଉତରପ୍ରଦେଶ ବିଧାନସଭା ନିର୍ବାଚନ । ଫଳରେ ଏବେଠାରୁ ଉତରପ୍ରଦେଶରେ ରାଜନୀତିକ ଉଷ୍ମତା ପରିଲକ୍ଷିତ ହୋଇଛି । ଦେଶର ସବୁଠାରୁ ବଡ଼ ରାଜ୍ୟରେ ପୁଣି ସରକାର ଗଢ଼ିବା ପାଇଁ ବିଜେପି ଅଙ୍କ କଷି ସାରିଥିବାବେଳେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ବିରୋଧୀ । ଏସବୁ ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛି ପୁରନପୁର ଆସନ ।
ପିଲଭିତ ଜିଲ୍ଲାରେ ରହିଛି ପୁରନପୁର ଆସନ । ସେହିପରି ପିଲଭିତ ହେଉଛି ଗାନ୍ଧୀ ପରିବାରର ଗଡ଼ । ଅବଶ୍ୟ ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀଙ୍କର ଏହା ଗଡ଼ ନୁହେଁ । ଏହା ହେଉଛି ଗାନ୍ଧୀ ପରିବାରର ଦାୟାଦ ମେନେକା ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କ ଗଡ଼ । ପୁରନପୁର ଆସନରେ ୩.୬୯ ଲକ୍ଷ ଭୋଟ ରହିଛି । ତେବେ ଏହି ନିର୍ବାଚନମଣ୍ଡଳୀର ବୈଶିଷ୍ଟ୍ୟ ହେଉଛି, ଏହି ନିର୍ବାଚନମଣ୍ଡଳୀରେ ଯେଉଁ ଦଳ ବାଜିମାତ କରେ, ସେହି ଦଳ ହିଁ ଉତରପ୍ରଦେଶରେ ସରକାର ଗଢ଼ିଥାଏ । ୨୦୦୭ରେ ଏହି ଆସନରେ ବିଏସପି ବାଜିମାତ କରିଥିବାବେଳେ ଉତରପ୍ରଦେଶରେ ମାୟାବତୀ ସରକାର ଗଢ଼ିଥିଲେ । ସେହିପରି ୨୦୧୨ରେ ଏଠାରୁ ଏସପି ଜିଣିଥିବାବେଳେ ଅଖିଳେଶ ଯାଦବ ସରକାର ଗଠନ କରିଥିଲେ । କିନ୍ତୁ ୨୦୧୭ରେ ଏହି ଆସନରେ ବିଜେପି ନେତା ବାବୁରାମ ଜିଣିଥିଲେ ଆଉ ଉତରପ୍ରଦେଶରେ ବହୁବର୍ଷ ପରେ ସରକାର ଗଢ଼ିଥିଲା ବିଜେପି । ତେଣୁ ଆଗାମୀ ନିର୍ବାଚନରେ ବି ପୁରନପୁର ହିଁ କେଉଁ ଦଳ ସରକାର ଗଢ଼ିବ ତାହା ନିଶ୍ଚିତ କରିବ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।
Comments ସମସ୍ତ ମତାମତ