ମୁଖ୍ୟ ଖବର
ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଡିସେମ୍ବର-୨୦୨୬ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୧୪ରୁ ୨୧ ତାରିଖ ମଧ୍ୟରେ ୟୁଜିସି ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ । ଦ୍ୱିତୀୟ ସିଫ୍ଟଟି ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ହେବ । ପରୀକ୍ଷା ଆରମ୍ଭର ୨୧ ଦିନ ପୂର୍ବରୁ ପରୀକ୍ଷା କେନ୍ଦ୍ର ସହର ସଂପର୍କିତ ଇଣ୍ଟିମେସନ୍ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏନ୍ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୧୪ରେ ଇତିହାସ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ, ହୋମ୍ ସାଇନ୍ସଆଦି ପରୀକ୍ଷା ରହିଛି । ୧୫ରେ ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍, ଏଜୁକେସନ୍, ସୋସିଆଲ୍ ୱାର୍କ, ଫିଜିକାଲ୍ ଏଜୁକେସନ୍, ଆର୍ୟୁବେଦ ବାୟୋଲୋଜି, ମନସ୍ତତ୍ତ୍ୱ ବିଜ୍ଞାନ, ମ୍ୟାନେଜ୍ମେଣ୍ଟ, ସଂସ୍କୃତ ପାରମ୍ପରିକ ବିଷୟ, ବିପର୍ଯ୍ୟୟ ପରିଚାଳନା ଆଦି ପରୀକ୍ଷା ହେବ । ୧୬ରେ ରାଜନୀତି ବିଜ୍ଞାନ, ବାଣିଜ୍ୟ, ଭାରତୀୟ ସଂସ୍କୃତି, ଲିଙ୍ଗୁଷ୍ଟିକ୍ ପରୀକ୍ଷା ହେବ । ୧୭ରେ ଜିଓଗ୍ରାଫି, ସାନ୍ତାଳୀ, ଏଚ୍ଆର ମ୍ୟାନେଜ୍ମେଣ୍ଟ ସମେତ ବିଭିନ୍ନ ଭାଷାର ପରୀକ୍ଷା ରହିଛି । ୧୮ରେ ହିନ୍ଦୀ, ଫରେନ୍ସିକ୍ ସାଇନ୍ସ, ଆଇନ୍, ୱିମେନ୍ ଷ୍ଟଡିଜ୍, ଇଲେକ୍ଟ୍ରୋନିକ୍ସ ସାଇନ୍ସ, ମାସ କମ୍ୟୁନିକେସନ୍ ଆଣ୍ଡ ଜର୍ଣ୍ଣାଲିଜିମ୍, ଦର୍ଶନଶାସ୍ତ୍ର ପରୀକ୍ଷା ରହିଛି । ସେହିପରି ୨୧ରେ ଓଡ଼ିଆ, ପରିସଂଖ୍ୟାନ, ଫରେଷ୍ଟ୍ରି, ଯୋଗ, ଆନ୍ଥ୍ରୋପୋଲୋଜି, ପରିବେଶ ବିଜ୍ଞାନ, ଅର୍ଥନୀତି, ସୋସିଓଲୋଜି ଆଦି ପରୀକ୍ଷା ରହିଛି ।
Comments ସମସ୍ତ ମତାମତ