ମୁଖ୍ୟ ଖବର
ନୂଆଦିଲ୍ଲୀ; ଅପେକ୍ଷାର ଅନ୍ତ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଭିକେ ମୁଖ୍ୟ ବିଜୟ । ଆଜିଠୁ ତାମିଲନାଡୁରେ ବିଜୟ ସରକାର ଆରମ୍ଭ ହୋଇଛି । ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ରାଜ୍ୟରେ ବିଜୟ ଯୁଗ ଜାରି । ଟିଭିକେ ଚିଫ୍ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଚେନ୍ନାଇର ଜବାବାରଲାଲ୍ ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଜୟ କହିଛନ୍ତି "ଏହା ଏକ ନୂତନ ଆରମ୍ଭ । ଧର୍ମନିରପେକ୍ଷ, ସାମାଜିକ ନ୍ୟାୟର ଏକ ନୂତନ ଯୁଗ ଏବେ ଆରମ୍ଭ ହେଉଛି ।" ଏହା ସହିତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ ୩ଟି ବଡ଼ ବିଷୟ ରହିଛି ।
୧. ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ।
୨. ନିଶା ନିବାରଣ ପାଇଁ ସ୍ୱତନ୍ତ୍ର କାର୍ୟ୍ୟ ବାହିନୀ ।
୩. ମହିଳା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କାର୍ୟ୍ୟ ବାହିନୀ ।
ଟିଭିକେ ମୁଖ୍ୟଙ୍କ ସହ ୯ ଜଣଙ୍କ ବିଜୟଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ସମର୍ଥକଙ୍କ ଉପସ୍ଥିତିରେ ଷ୍ଟାଡିୟମ ଉଛୁଳି ପଡିଛି । ବିଜୟଙ୍କ ବାପା, ମାଆ ଏବଂ ତାଙ୍କ ଲେଡି ଲକ୍ କୁହାଯାଉଥିବା ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ଉପସ୍ଥିତ ଅଛନ୍ତି । ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହିତ ତାମିଲନାଡୁ ରାଜନୀତିର ନୂତନ ଯୁଗରେ ପ୍ରବେଶ କରିଛି । ବ୍ଲାକ୍ ପ୍ୟାଣ୍ଟ ଏବଂ ହ୍ୱାଇଟ୍ ସାର୍ଟରେ ଜବରଦସ୍ତ ଲୁକ୍ରେ ନଜର ଆସିଛନ୍ତି ସିଏମ୍ ଜୋସେଫ୍ ବିଜୟ ।
ବିଜୟ ମନ୍ତ୍ରିମଣ୍ଡଳରେ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନ୍. ଆନନ୍ଦ. ଅଦଭ ଅର୍ଜୁନ, କେ.ଜି ଅରୁନରାଜ, କେ.ଏ ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍ , ଆର. ନିର୍ମଳକୁମାର, ରାଜମୋହନ,ଟି.କେ ପ୍ରଭୁ, ସେଲଭି ଏସ୍. କୀର୍ତ୍ତନା । ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେଲ୍ଭି ଏସ୍. କୀର୍ତ୍ତନ ।
Comments ସମସ୍ତ ମତାମତ