ମୁଖ୍ୟ ଖବର
ଚେନ୍ନଇ : ତାମିଲନାଡୁରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଦୋଦୁଲ୍ୟମାନ ଅବସ୍ଥାକୁ ଚାଲିଯାଇଛି। ଗୁରୁବାର ତଲାପତି ବିଜୟଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେବାକୁ ଥିବାବେଳେ ଏହା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ବିଜୟଙ୍କ ନେତୃତ୍ବାଧୀନ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ବୃହତ୍ ଦଳ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛି। ମାତ୍ର ଟିଭିକେ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ନଥିବାରୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ ଅନୁମତି ଦେଇ ନାହାନ୍ତି। ଟିଭିକେ ୧୦୮ଟି ଆସନରେ ବିଜୟୀ ହୋଇଥିବାବେଳେ ଏହା ପାଖରେ ୧୦୭ ବିଧାୟକ ଅଛନ୍ତି। କାରଣ ବିଜୟ ନିଜେ ଦୁଇଟି ଆସନ ପେରାମ୍ବୁର ଓ ତିରୁଚି ଇଷ୍ଟରୁ ବିଜୟୀ ହୋଇଛନ୍ତି। ତେଣୁ ତାଙ୍କର ସ୍ବାକ୍ଷରକୁ ଜଣେ ବିଧାୟକଙ୍କ ସ୍ବାକ୍ଷର ବିବେଚନା କରାଯାଇଛି। ଏହାଦ୍ବାରା ଟିଭିକେ ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ଥିବାବେଳେ କଂଗ୍ରେସର ୫ ବିଧାୟକ ସମର୍ଥନ ଦେଇଛନ୍ତି। ବିଜୟଙ୍କ ନେତୃତ୍ବରେ ଟିଭିକେ ୧୧୨ ବିଧାୟକଙ୍କ ସମର୍ଥନ ପତ୍ର ସହିତ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଦାବି ଜଣାଇଥିଲେ। ମାତ୍ର ରାଜ୍ୟପାଳ ଆର୍ଲେକର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ବିଧାୟକ ଅର୍ଥାତ୍ ୧୧୮ ବିଧାୟକଙ୍କ ସମର୍ଥନ ପତ୍ର ଦେବାକୁ କହିଛନ୍ତି। ଏପରି ସ୍ଥିତିରେ ବିଜୟ ଅବଶିଷ୍ଟ ୬ ବିଧାୟକ ଯୋଗାଡ କରିବାରେ ଲାଗିଛନ୍ତି। ତେଣୁ ଗୁରୁବାର (ମେ’ ୭)ରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଏକ ପ୍ରକାର ଅନିଶ୍ଚିତ ହୋଇପଡିଛି। ଟିଭିକେକୁ ସରକାର ଗଠନ ପାଇଁ ଅନ୍ୟ କୌଣସି ଦଳ ସମର୍ଥନ ଘୋଷଣା କରି ନାହାନ୍ତି। ତାମିଲନାଡୁ ନିର୍ବାଚନରେ ଡିଏମ୍କେ ଏକାକୀ ୫୯ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୫, ଭିସିକେ, ସିପିଆଇ, ସିପିଆଇ(ଏମ୍) ଓ ଆଇୟୁଏମଏଲ୍ ୨ଟି ଲେଖାଏଁ ଓ ଡିଏମ୍ଡିକେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ଏଆଇଆଇଡିଏମ୍କେ ୪୭ଟି ଆସନରେ ବିଜୟୀ ହୋଇଥିବାବେଳେ ଏହାର ସହଯୋଗୀ ଦଳ ପିଏମ୍କେ ୪, ଏଏମ୍ଏମ୍କେ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।
Comments ସମସ୍ତ ମତାମତ