ମୁଖ୍ୟ ଖବର
ନୂଆଦିଲ୍ଲୀ: ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟିଭରେ ଋଷ କଟକଣା ବିଲ୍ ପାରିତ ହୋଇଛି । ଫଳରେ ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା । ଏହି ବିଲ୍କୁ 262-159 ଭୋଟରେ ମଞ୍ଜୁରୀ ମିଳିଛି । ‘ବ୍ୟାପାର ଓ ଆର୍ଥିକ ହିତ ପାଇଁ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।
ଋଷ ଠାରୁ ଅଶୋଧିତ ତୈଳ କ୍ରୟ କରୁଛି ଭାରତ । ଏହି ବିଲ୍ ପାସ୍ ହେବା ପରେ ଯେଉଁ ସବୁ ରାଷ୍ଟ୍ର ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଛନ୍ତି ସେମାନଙ୍କ ଉପରେ 100 ପ୍ରତିଶତ ଟାରିଫ ଲଗାଇବା ପାଇଁ ଆମେରିକାକୁ ଅଧିକାର ମିଳିବ । ଏହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୟାନ ଜାରି କରିଛି । ଭାରତ କହିଛି, ଆମେରିକା କଂଗ୍ରେସ ଋଷ ଓ ଇରାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଲ୍ ପାରିତ କରିଛି, ଆମେ ଏହା ଉପରେ ନଜର ରଖିଛୁ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ‘ପୂର୍ବରୁ ବି ଅନେକ ଥର କହିଆସୁଛୁ ଭାରତ ତାର 1.4 ବିଲିୟନ ଲୋକଙ୍କୁ ତୈଳ ଯୋଗାଇବାକୁ ସୁନିଶ୍ଚିତ କରିବା ପାଇଁ ପୂରାପୂରି ଭାବେ ପ୍ରତିବଦ୍ଧ ଅଟେ । ଋଷ ସହ ତୈଳ ବ୍ୟାପାର ସମ୍ପର୍କରେ ଆମେରିକାର ବିଭିନ୍ନ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ଭାରତ ପକ୍ଷରୁ କେବଳ ଦ୍ବି-ପାକ୍ଷିକ ସମ୍ପର୍କ ନୁହେଁ ବଂର ଅନ୍ତରାଷ୍ଟ୍ରୀୟ ଶକ୍ତି ବଜାର ଉପରେ କିପରି ପ୍ରଭାବ ପଡିବ ତାହା ଉପରେ ମଧ୍ୟ କହିଛି ।
ମନ୍ତ୍ରଣାଳୟ ଆହୁରି କହିଛି ଯେ, ଭାରତ ନିଜ ବ୍ୟାପାର ଓ ଆର୍ଥିକ ହିତ ପାଇଁ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବ । ଏହି ସବୁ ପରିସ୍ଥିତି ସହ ଲଢିବା ପାଇଁ ଭାରତ ବ୍ୟାପାର ଓ ଉଦ୍ୟୋଗ ସଂଗଠନ ଗୁଡିକ ସହ ମିଶି କାମ କରିବ ।
ଗତ ମାସ ୟୁଏସ ସିନେଟ୍ରେ ପାସ୍ ହୋଇଥିବା ଲିଣ୍ଡସେ ଓ.ଗ୍ରାହମ ସିକ୍ଲୋନିଂ ଋଷିଆ ଆଣ୍ଡ ଇରାନ ଆକ୍ଟ ଅଫ୍ 2026 ବିଲ୍କୁ ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟିଭରେ 262-159 ଭୋଟରେ ମଞ୍ଜୁରୀ ମିଳିଛି । ଏହା ଆଇନରେ ପରିଣତ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ପଠାଯିବ ।
ଏହା ଆଇନରେ ପରିଣତ ହେଲେ ଆମେରିକା ରାଷ୍ଟ୍ରପତି ଚୀନ, ଭାରତ ଓ ଅନ୍ୟ ଦେଶ ଗୁଡିକ ଉପରେ 100 ପ୍ରତିଶତ ଟାରିଫ ଲଗାଇବାର ଅଧିକାର ମିଳିବ ।ଆମେରିକା ରାଷ୍ଟ୍ରପତି ଯଦି 100 ପ୍ରତିଶତ ଟାରିଫ୍ ଲଗାନ୍ତି, ଏହାର ପ୍ରଭାବ ଭାରତରୁ ଆମେରିକା ଯାଉଥିବା ସାମଗ୍ରୀ ଉପରେ ପଡିବ । ଆମେରିକା ବଜାରରେ ଭାରତୀୟ ଉତ୍ପାଦ ଦ୍ରବ୍ୟ ଗୁଡିକ ଦାମ୍ ବଢିପାରେ ।
Comments ସମସ୍ତ ମତାମତ