ମୁଖ୍ୟ ଖବର
ୱାଶିଂଟନ: ଆମେରିକା ଉପରେ ହୋଇଥିବା ୯ା୧୧ ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ।ସୂଚନାଥାଉ କି ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୯୭୭ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ରମ୍ପ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆମେରିକାବାସୀଙ୍କୁ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ ବୋଲି କହିଥିଲେ। ୯/୧୧ ଆତଙ୍କବାଦୀ ଆକ୍ରମଣ ଅତର୍କିତ ଥିଲା, ଏଥିପାଇଁ ଆମେରିକା ଆଦୌ ପ୍ରସ୍ତୁତ ନ ଥିଲା ବୋଲି ଟ୍ରମ୍ପ କହିଛନ୍ତି। ଇରାନ ବିରୋଧରେ ଚାଲିଥିବା ଯୁଦ୍ଧକୁ ନେଇ ଟ୍ରମ୍ପ କହିଥିଲେ ଇରାନକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ବିଭିନ୍ନ ଅର୍ଥନୈତିକ କଟକଣା ଲଗାଯାଇଛି। ଇରାନର ଆର୍ଥିକ ଅବସ୍ଥା ଭଲ ନାହିଁ ତେଣୁ ଏହି ଦେଶ ଖୁବ୍ଶୀଘ୍ର ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେବ। ସେହିପରି ଇରାନ ଯେପରି ଭବିଷ୍ୟତରେ କୌଣସି ଅଣୁ ଅସ୍ତ୍ର ହାସଲ ନ କରିପାରେ ସେଥିପ୍ରତି ଆମେରିକା ସର୍ବଦା ସଜାଗ ରହିଛି। କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଉଲ୍ଲେଖଥାଉ କି ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀମାନେ ୪ଟି ଯାତ୍ରୀବାହୀ ବିମାନ ଅପହରଣ କରିଥିଲେ। ସେଥିମଧ୍ୟରୁ ଦୁଇଟି ବିମାନ ନ୍ୟୁୟର୍କସ୍ଥିତ ୱାଲ୍ର୍ଡ ଟ୍ରେଡ୍ ସେଣ୍ଟର ଉପରେ ମାଡ଼ କରାଯାଇଥିବା ବେଳେ ଗୋଟିଏ ବିମାନ ପେଣ୍ଟାଗନ୍ରେ ମାଡ଼ କରାଯାଇଥିଲା। ଚତୁର୍ଥ ବିମାନଟିରେ ଥିବା ଯାତ୍ରୀ ଓ କ୍ରୁ ମେମ୍ବରମାନେ ଅପହରଣକାରୀଙ୍କ ସହ ସଂଘର୍ଷ କରି ତାହାକୁ ପେନ୍ସିଲଭେନିଆରେ ଅବତରଣ କରାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୨୯୭୭ଜଣଙ୍କ ଜୀବନ ଯାଇଥିଲା।
Comments ସମସ୍ତ ମତାମତ