Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ଯୁଦ୍ଧ ସାମୟିକ ସ୍ଥଗିତ ରଖିଲା ଆମେରିକା

    Share on :
    ajab-Image
    Date: Jul 27, 2026    Views: 3118

    ୱାଶିଂଟନ: ଇରାନ ବିରୋଧରେ ଆମେରିକା ଚଳାଇଥିବା ଯୁଦ୍ଧକୁ ସ୍ଥଗିତ ରଖିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୈନ୍ୟବାହିନୀକୁ ନିର୍ଦେଶ ଦେଇଛନ୍ତି। ଇରାନ ବିରୋଧରେ ଆମେରିକା କ୍ରମାଗତ ୧୩ ଦିନ ଧରି ଯୁଦ୍ଧ ଚଳାଇଆସିଥିଲାବେଳେ ରବିବାର ଏହାକୁ ସାମୟିକ ସ୍ଥଗିତ ରଖାଯାଇଛି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ତ୍ୱରାନ୍ୱିତ ହେବା, ଆମେରିକା ପ୍ରତିରକ୍ଷା ଭଣ୍ଡାରରେ କ୍ଷେପଣାସ୍ତ୍ର ପରିମାଣ ହ୍ରାସ ପାଇବା ଓ ଏକ ବ୍ୟାପକ ଆଞ୍ଚଳିକ ଯୁଦ୍ଧର ଆଶଙ୍କା ଯୋଗୁଁ ୱାଶିଂଟନ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ସୁରକ୍ଷିତ କରିବା ପାଇଁ ଓମାନର ଏକ ପ୍ରତିନିଧିମଣ୍ଡଳୀ ତେହେରାନରେ ଇରାନର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦର୍ଶାଇଛନ୍ତି ଯେ ସେ କୂଟନୈତିକ ବାଟରେ ସମାଧାନ ଚାହୁଁଛନ୍ତି। ତେବେ ସେନାକୁ ସଜାଗ ରଖାଯାଇଛି ଓ ଆଲୋଚନା ବିଫଳ ହେଲେ ଆକ୍ରମଣ ପୁଣି ଆରମ୍ଭ କରାଯାଇପାରେ। ହ୍ବାଇଟ୍ ହାଉସ୍ ଟ୍ରମ୍ପଙ୍କ ଏହି ଯୁଦ୍ଧବନ୍ଦ ନିଷ୍ପତ୍ତି ସମ୍ପର୍କରେ କିଛି ସ୍ପଷ୍ଟ କରି ନାହିଁ। ମାତ୍ର ହ୍ବାଇଟ୍ ହାଉସ୍ ଯୋଗାଯୋଗ ନିର୍ଦେଶକ ଷ୍ଟିଭେନ୍ ଚେୟୁଙ୍ଗ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ କୂଟନୈତିକ ସମାଧାନ ସପକ୍ଷରେ ରହିଛନ୍ତି। ଇରାନ ଯଦି ହର୍ମୁଜ ପ୍ରଣାଳୀ କିମ୍ବା ଆମେରିକାର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ ଜାରି ରଖେ ତେବେ ଏହାର ଜବାବ ଦେବାକୁ ସେନାକୁ ସଜାଗ ରହିବାକୁ କୁହାଯାଇଛି।
    ପେଣ୍ଟାଗନର ବରିଷ୍ଠ ସାମରିକ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଲଗାତାର ସଂଘର୍ଷ ଯୋଗୁଁ ଆମେରିକାର ପାଟ୍ରିଅଟ୍ ଆଣ୍ଟି-ମିସାଇଲ୍ ଇଣ୍ଟରସେପ୍ଟର ଭଣ୍ଡାର ଦ୍ରୁତ ଗତିରେ ଶେଷ ହେବାକୁ ବସିଲାଣି। ମଧ୍ୟପ୍ରାଚ୍ୟରେ ଗତ କିଛି ମାସ ମଧ୍ୟରେ ୧,୨୦୦ ରୁ ଅଧିକ ପାଟ୍ରିଅଟ୍ ଇଣ୍ଟରସେପ୍ଟର ବ୍ୟବହୃତ ହୋଇସାରିଥିବାରୁ ଆହୁରି ଯୁଦ୍ଧ ବଢ଼ାଇବା ଦ୍ୱାରା ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଓ ସୈନ୍ୟଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ। ଆମେରିକା ଉପରାଷ୍ଟ୍ରପତି ଜେଡି. ଭାନ୍ସ ଓ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଅଧ୍ୟକ୍ଷ ଜେନେରାଲ୍ ଡାନ କେନ୍ ୱାଇଟ୍ ହାଉସ୍ ବୈଠକରେ ଟ୍ରମ୍ପଙ୍କୁ ସାବଧାନ କରାଇଛନ୍ତି ଯେ, ଆକ୍ରମଣକୁ ଆହୁରି ବ୍ୟାପକ କଲେ ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ରୂପ ନେବ। ଏହା ଦ୍ୱାରା ତୈଳ ସଙ୍କଟ ସହ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook