Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତ ମୋ ଉପରେ ୧୦୦ ପ୍ରତିଶତ ବିଶ୍ୱାସ କରିପାରିବ:ଟ୍ରମ୍ପ

    Share on :
    ajab-Image
    Date: May 25, 2026    Views: 2483

    ନୂଆଦିଲ୍ଲୀ: ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ଭଲପାଏ । ସେ ମୋ ବନ୍ଧୁ । ସେ ବହୁତ ଭଲ । ଭାରତ ଓ ଆମେରିକା ସମ୍ପର୍କ ଏତେ ଭଲ ପୂର୍ବରୁ କେବେ ନଥିଲା । ଭାରତ ମୋ ଉପରେ ୧୦୦ ପ୍ରତିଶତ ବିଶ୍ୱାସ କରିପାରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରି ଏହି ବୟାନ ଦେଇଛନ୍ତି । ଆମେରିକା ସ୍ୱାଧୀନତାର ୨୫୦ ବର୍ଷ ପୂର୍ତ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ କନଭେନସ ସେଣ୍ଟରରେ ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଇଭ୍ ଭିଡିଓ କଲରେ ଟ୍ରମ୍ପ ଏହା କହିଛନ୍ତି ।

    କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଉପସ୍ଥିତ ଥିଲେ । ଟ୍ରମ୍ପ ଫୋନ୍ ଯୋଗେ ଉତ୍ସବକୁ ସମ୍ବୋଧନ କରିଥିଲେ । ଗୋର୍ ଫୋନର ସ୍ପିକରକୁ ଅନ୍ ମୋଡରେ ରଖି ସମସ୍ତଙ୍କୁ ଶୁଣାଇଥିଲେ । ଟ୍ରମ୍ପ ଆହୁରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ବହୁତ ବଡ଼ ଫ୍ୟାନ୍ । ଆବଶ୍ୟକ ବେଳେ କେଉଁଠାକୁ ଫୋନ୍ କରିବା ଜରୁରି, ତାହା ତାଙ୍କୁ ଭଲ ଭାବେ ଜଣା । ସେ ଏହିଠାକୁ ହିଁ ଫୋନ୍ କରନ୍ତି । ଏହାପରେ ଟ୍ରମ୍ପ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ବି ଭୂୟସୀ ପ୍ରଶଂସା କରିଥିଲେ । କହିଥିଲେ, ମାର୍କୋ ଜଣେ ଚମତ୍କାର ବ୍ୟକ୍ତି । ସେ ଆମେରିକାର ଇତିହାସରେ ସବୁଠୁ ମହାନ ବିଦେଶ ମନ୍ତ୍ରୀ ଭାବେ ମନେ ରହିବେ ।

    ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଯେବେ ବି ମୋ ସହ କଥା ହୁଅନ୍ତି, ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବାବଦରେ ପଚାରନ୍ତି । ତାଙ୍କ ମୁତାବକ, ଭାରତ-ଆମେରିକା ସମ୍ପର୍କ ନୂଆ ନୁହେଁ, ବରଂ ମଜଭୁତ ଭରସାରେ ତିଷ୍ଠି ରହିଛି । ‘ଆମେରିକା ଫାର୍ଷ୍ଟ’ର ଅର୍ଥ କେବଳ ଆମେରିକା ନୁହେଁ । ଉଭୟ ଦେଶ ମିଶି ଏଭଳି ସୁଯୋଗ ସନ୍ଧାନ କରୁଛନ୍ତି, ଯଦ୍ଦ୍ୱାରା ଦୁହିଁଙ୍କୁ ଫାଇଦା ହେବ । ଭାରତରେ ଆମେରିକୀୟ ଦୂତାବାସ ଏ ବର୍ଷ ରେକର୍ଡ ୨୦.୫ ବିଲିୟନ ଡଲାର ନିବେଶ ଆମେରିକାକୁ ଆଣିବାରେ ସହାୟକ ହୋଇଛି । ମାର୍କୋ ରୁବିଓ ରବିବାର କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଲେ, ଭାରତ ଓ ଆମେରିକାର ସମ୍ପର୍କ ଗତି ଧିମା ପଡ଼ିନାହିଁ । ଖୁବଶୀଘ୍ର ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୁଝାମଣା ହେବା ନେଇ ଆଶା କରାଯାଉଛି । ଭାରତ ଗସ୍ତର ଦ୍ୱିତୀୟ ଦିନରେ ରୁବିଓ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ବି କଥା ହୋଇଛନ୍ତି । ନିଜ ଭାରତ ଗସ୍ତକୁ ସେ ଚମତ୍କାର ଦର୍ଶାଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook