ମୁଖ୍ୟ ଖବର
ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ନୂଆ ଟ୍ୱିଷ୍ଟ। ଆକ୍ରମଣ ଓ ପ୍ରତି ଆକ୍ରମଣର ବିପଦ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆସନ୍ତା ୫ ଦିନ ପାଇଁ ଆମେରିକା ସେନା ଇରାନର କୌଣସି ଏନର୍ଜୀ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରିବ ନାହିଁ। ୫ ଦିନ ପାଇଁ ସମସ୍ତ ପ୍ରକାରର ଇରାନ ବିରୋଧୀ ସୈନ୍ୟ ଆକ୍ରମଣକୁ ସ୍ଥଗିତ ରଖିବାକୁ ଆମେରିକା ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ସ୍ଥଗିତ ରହିଥିବା କହିଥିଲେ ହେଁ ଇରାନ କିଛି ବି ଘୋଷଣା କରିନି। ସେହିପରି ଦୁଇ ପକ୍ଷ ମଧ୍ୟରେ ସତରେ ଆଲୋଚନା ହୋଇଛି କି ନାହିଁ, ସେକଥା ମଧ୍ୟ ତେହରାନ ସ୍ପଷ୍ଟ କରିନାହିଁ।
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ହ୍ରାସ କରିବାର ସଙ୍କେତ ଦେଇ ଟ୍ରମ୍ପ କହିଛନ୍ତି ଯେ ୱାଶିଂଟନ ଓ ତେହରାନ ଏବେ ଗୋଟିଏ ଉତ୍ତମ ଓ ଫଳପ୍ରଦ ଆଲୋଚନା କରିଛନ୍ତି। ଏଥିସହ ମଧ୍ୟପ୍ରାଚ୍ୟରେ ବିବାଦ ହ୍ରାସ କରିବା ନେଇ ଗୋଟିଏ ପୂର୍ଣ୍ଣ ସଂକଳ୍ପ ଆସିବାର ସମ୍ଭାବନା ଥିବା ମଧ୍ୟ ସେ କହିଛନ୍ତି।
ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଇରାନୀୟ ପାୱାର ପ୍ଲାଣ୍ଟ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଆସନ୍ତା ୫ ଦିନ ସ୍ଥିଗତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ୪ ସପ୍ତାହ ଧରି ଜାରି ରହିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ପ୍ରଥମଥର ପାଇଁ ଏପରି ଘୋଷଣା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।
ସୋଶାଲ ମିଡିଆରେ ଗୋଟିଏ ବିବୃତି ଜାରି କରି ଟ୍ରମ୍ପ କହିଛନ୍ତି, “ଗତ ୨ ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଗୋଟିଏ ଫଳପ୍ରଦ ଓ ଉତ୍ତମ ଆଲୋଚନା ହୋଇଛି। ଏହି ବିସ୍ତୃତ, ଗଭୀର ଓ ଫଳଫ୍ରଦ ଆଲୋଚନା ଆସନ୍ତା ଗୋଟିଏ ସପ୍ତାହ ଧରି ଜାରି ରହିବ। ମୁଁ ପ୍ରତିରକ୍ଷା ବିଭାଗକୁ ବର୍ତ୍ତମାନ ଚାଲିଥିବା ବୈଠକ ଓ ଆଲୋଚନାର ସଫଳତାକୁ ଧ୍ୟାନରେ ରଖି ଇରାନୀୟ ପାୱାର ପ୍ଲାଣ୍ଟ ଓ ଶକ୍ତି ଭିତ୍ତିଭୂମି ଉପରେ କୌଣସି ପ୍ରକାରର ସୈନ୍ୟ ଆକ୍ରମଣ ଆସନ୍ତା ୫ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି।’’
ତେବେ ଏହି ଆଶ୍ୱସ୍ତି ସାମୟିକ। ଅସ୍ଥାୟୀ ଭାବେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି। ଆକ୍ରମଣର ଭବିଷ୍ୟତ ବର୍ତ୍ତମାନ ଚାଲିଥିବା ଆଲୋଚନା ଉପରେ ହିଁ ନିର୍ଭର କରୁଛି।
Comments ସମସ୍ତ ମତାମତ