ମୁଖ୍ୟ ଖବର
ଜିନ୍ଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଜିନ୍ଦ-ସୋନିପତ ମଧ୍ୟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ପରିଚାଳନା କରୁଥିବା ଦେଶମାନଙ୍କ ତାଲିକାରେ ଭାରତ ସାମିଲ ହୋଇଛି। ରେଳ କ୍ଷେତ୍ରରେ ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ବ୍ୟବସ୍ଥା ଗ୍ରହଣ ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।
ଜିନ୍ଦରୁ ସୋନିପତ ମଧ୍ୟରେ ଥିବା ୮୯ କିଲୋମିଟର ଦୂରତାକୁ ଏହି ଟ୍ରେନ୍ ଦୁଇ ଘଣ୍ଟାରେ ଅତିକ୍ରମ କରିବ। ମଧ୍ୟରେ ୧୨ଟି ଷ୍ଟେସନରେ ଏହାର ରହଣି ରହିଛି। ଟ୍ରେନ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ହରିୟାଣା ରାଜ୍ୟପାଳ ଅଶିମ କୁମାର ଘୋଷ ଏବଂ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ଟ୍ରେନ୍କୁ ସବୁଜ ପତାକା ଦେଖାଇବା ସହ ଯାତ୍ରୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଟ୍ରେନ୍ରେ ବହୁ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯାତ୍ରା କରୁଥିବା ନଜର ଆସିଥିଲା । ଏହା ପୂର୍ବରୁ ଦିନରେ ପ୍ରଧାନମନ୍ତ୍ରୀ ସାମାଜିକ ମାଧ୍ୟମ 'X'ରେ ଲେଖିଥିଲେ ଯେ, ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ ଦେଶର ସ୍ଥାୟୀ ପରିବହନ ବ୍ୟବସ୍ଥା ଦିଗରେ ଏକ ବଡ଼ ସଫଳତା ଏବଂ ଆତ୍ମନିର୍ଭର ଭାରତ ଗଠନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ଏଥିୁସହ ସେ ଲେଖିଥିଲେ, "ଆଜି ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହା ଆତ୍ମନିର୍ଭର ଭାରତ ଏବଂ ସ୍ଥାୟୀ ବିକାଶ ଦିଗରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ସଫଳତା ସହ ଜଡ଼ିତ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ।" ଏହାସହ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଲୋକ ମଧ୍ୟ ସେୟାର କରି କହିଥିଲେ ଯେ, ବଡ଼ କିମ୍ବା ଛୋଟ ଯେକୌଣସି କାର୍ଯ୍ୟ ସଫଳ କରିବା ପାଇଁ ପୂର୍ଣ୍ଣ ସମର୍ପଣ ଓ ନୂତନ ଉତ୍ସାହ ସହ କାମ କରିବା ଆବଶ୍ୟକ। ସିଂହଠାରୁ ମଣିଷ ଏହି ଗୁଣ ଶିଖିବା ଉଚିତ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଶୁଭାରମ୍ଭକୁ ଭାରତୀୟ ଇଞ୍ଜିନିୟରିଂର ଏକ ଐତିହାସିକ ସଫଳତା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଟ୍ରେନ୍ର ସମ୍ପୂର୍ଣ୍ଣ ପ୍ରପଲ୍ସନ୍ ସିଷ୍ଟମ୍ ଓ ପ୍ରଯୁକ୍ତି ଭାରତରେ ସ୍ୱଦେଶୀ ଭାବେ ବିକଶିତ କରାଯାଇଛି। ହାଇଡ୍ରୋଜେନ୍ ପ୍ରଯୁକ୍ତିକୁ ଭାରତରେ ବିକଶିତ କରିବା ଏବଂ 'ଆତ୍ମନିର୍ଭର ଭାରତ' ଅଧୀନରେ ଏହାକୁ ସ୍ୱଦେଶୀ ପ୍ରଯୁକ୍ତିରେ ପରିଣତ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ