Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶା ହେବ ପୂର୍ବ ଭାରତର ପ୍ରମୁଖ ସାହସିକ ପର୍ଯ୍ୟଟନ କେନ୍ଦ୍ର

    Share on :
    ajab-Image
    Date: Feb 25, 2026    Views: 2469

    ଭୁବନେଶ୍ବର:ଓଡ଼ିଶା ହେବ ପୂର୍ବ ଭାରତର ପ୍ରମୁଖ ସାହସିକ ପର୍ଯ୍ୟଟନ କେନ୍ଦ୍ର । ମଙ୍ଗଳବାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ଲୋକ ସେବା ଭବନରେ‘ଗୋ-ଆଡଭେଞ୍ଚର’ (Go-Adventure)ପୋର୍ଟାଲର ଶୁଭାରମ୍ଭ କରିବା ସହ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ (IMF)ଏବଂ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ (ACI)ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି ।ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ,ଓଡ଼ିଶାରେ ସାହସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ଆଧ୍ୟାତ୍ମିକ ପର୍ଯ୍ୟଟନରେ ସୀମିତ ନରହି,ଏହାକୁ କିଭଳି ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସହ ଯୋଡ଼ାଯାଇପାରିବ,ସେଥିପାଇଁ ସରକାର ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାହସିକ ପର୍ଯ୍ୟଟନର ପ୍ରଚଳନ ଯୁବ ଉଦ୍ୟୋଗୀମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ଆକର୍ଷିତ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ପରିଦୃଶ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ପର୍ଯ୍ୟଟନ,କ୍ରୀଡ଼ା ଏବଂ ଗୃହ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ସେ ଏହି ସହଯୋଗୀ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏଥିସହ,ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସେ ସମସ୍ତ ବିଭାଗକୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, "ରାଜ୍ୟ ସରକାର ୨୦୩୬ ସୁଦ୍ଧା ଉତ୍କର୍ଷ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି”। ସଂପୃକ୍ତ ସମସ୍ତ ବିଭାଗ,ନିଜ ବିଭାଗ ସହିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କଣ କରାଯାଇ ପାରିବ,ସେଥିପ୍ରତି ଧ୍ୟାନ ଦେବା ସହିତ ସାମୂହିକ ପ୍ରୟାସ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ସାହସିକ ପର୍ଯ୍ୟଟନ ସ୍ଥାନୀୟ ଅର୍ଥନୀତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଓଡ଼ିଶା ପର୍ଯ୍ୟଟନର ନୂଆ ଦିଗ ଉପସ୍ଥାପନ କରି ସେ‘ଥିଙ୍କ ଇଣ୍ଡିଆ,ଥିଙ୍କ ଓଡ଼ିଶା’ (Think India, Think Odisha)ମନ୍ତ୍ରକୁ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ।

    'ଗୋ-ଆଡଭେଞ୍ଚର' (Go-Adventure)ପୋର୍ଟାଲ ସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ପଞ୍ଜିକରଣ,ଯାଞ୍ଚ ଏବଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି ।

    ପର୍ଯ୍ୟଟନ ବିଭାଗ ପକ୍ଷରୁ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ (IMF)ସହ ଚୁକ୍ତି ଦ୍ଵାରା ଟ୍ରେକିଂ ଏବଂ ରକ୍ କ୍ଲାଇମ୍ବିଂ ଭଳି ସ୍ଥଳଭାଗରେ କରାଯାଉଥିବା ସାହସିକ କାର୍ଯ୍ୟକଳାପର ସୁରକ୍ଷା ଯାଞ୍ଚ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରାଯାଇପାରିବ । ଏରୋ କ୍ଲବ୍ ଅଫ୍ ଇଣ୍ଡିଆ (ACI)ସହ ଭାଗିଦାରୀତା,ପାରାଗ୍ଲାଇଡିଂ ଏବଂ ପାରାମୋଟରିଂ ଭଳି ଆକାଶମାର୍ଗର ସାହସିକ କ୍ରୀଡ଼ାକୁ ନିୟମିତ କରିବା ସହ ଜାତୀୟ ବିମାନ ଚଳାଚଳ ସୁରକ୍ଷା ନିୟମ ଅନୁଯାୟୀ ଏହାର ସମ୍ପ୍ରସାରଣ କରାଯିବ।

    ଏଥିସହ,ବ୍ୟବସାୟିକ ସୁଗମତାକୁ ଲକ୍ଷ୍ୟରେ ରଖି ଘରୋଇ ଅପରେଟରମାନଙ୍କୁ‘ଲାଇସେନ୍ସ ଟୁ ଅପରେଟ୍’ (LTO)ଏବଂ‘ରିକଗ୍ନିସନ ଟୁ ସେଟଅପ୍’ (RTS)ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ କେତେକ ସାହସିକ ପର୍ଯ୍ୟଟନ ଅପରେଟରଙ୍କୁ ଆନୁଷ୍ଠାନିକ ଭାବେ ଲାଇସେନ୍ସ ପ୍ରଦାନ କରାଯାଇଥିଲା।

    ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏରୋ କ୍ଲବ୍ ଅଫ୍ ଇଣ୍ଡିଆର ସଭାପତି ରାଜୀବ ପ୍ରତାପ ରୁଡି ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର୍ ସ୍ପୋର୍ଟସ୍ (NIWS)ଗୋଆରୁ ଡ. ପୱନ ଗୁପ୍ତା ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସମାରୋହରେ ଉପସ୍ଥିତ ଥିଲେ। ଏଥିସହିତ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଲୱନ୍ତ ସିଂହ,କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଭୂପେନ୍ଦ୍ର ସିଂ ପୁନିଆ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାହସିକ ପର୍ଯ୍ୟଟନ କ୍ଷେତ୍ରର ବୈଷୟିକ ସହଯୋଗ ପାଇଁ ଏରୋ କ୍ଲବ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଅରବିନ୍ଦ ବଦୋନି ଏବଂ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନର ଅନରାରୀ ସମ୍ପାଦକ କୀର୍ତ୍ତି ପାଇସା ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଓଡ଼ିଶା ପୋଲିସର ଆଇଜି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଶ୍ରୀ ଉମାଶଙ୍କର ଦାଶ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ସାହସିକ ପର୍ଯ୍ୟଟନ ସଂଘର ସଦସ୍ୟ ଯୋଗ ଦେଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook