ମୁଖ୍ୟ ଖବର
ନୂଆଦିଲ୍ଲୀ: ସିକ୍କିମର ନାମଚି ଜିଲ୍ଲାରେ ସୋମବାର ଭୂସ୍ଖଳନ ଯୋଗୁ ଏକ ନିର୍ମାଣାଧୀନ ସୁଡ଼ଙ୍ଗ (ଟନେଲ) ଭୁଶୁଡ଼ି ପଡ଼ିଛି । ଫଳରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଏବେ ବି ଫସି ରହିଛନ୍ତି । ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରସେନ୍ (ଏନ୍ଏଚ୍ପିସି)ର ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ୍ ପ୍ରକଳ୍ପର ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା । ଭୂସ୍ଖଳନ ଯୋଗୁ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା । ଫଳରେ ସୁଡ଼ଙ୍ଗର ଉଭୟ ପ୍ରବେଶ ପଥ ବନ୍ଦ ହୋଇଯାଇଥିଲା । ତେଣୁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ ।
ଏହି ସମୟରେ ସେଠାରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିବା କୁହାଯାଉଛି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ରାଜ୍ୟ ପୁଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଅଭିଯାନ ଜାରି ରହିଛି । ମୃତ ଓ ଫସି ରହିଥିବା ଶ୍ରମିକମାନେ ଝାଡ଼ଖଣ୍ଡ, ଆସାମ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରର ବାସିନ୍ଦା । ଇତିମଧ୍ୟରେ ସୁଡ଼ଙ୍ଗ ବିସ୍ଫୋରଣ ଘଟଣାରେ ଲୋକଙ୍କ ମୃତ୍ୟୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ କଥା ହୋଇଛନ୍ତି । ସେ ଉଦ୍ଧାର ଅଭିଯାନର ସମୀକ୍ଷା କରିଥିଲେ । ଏଥିସହ ସେ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟ ସରକାର ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବେ । ଏଥିସହ ଘଟଣାର ସବିଶେଷ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏନ୍ଏଚ୍ପିସି ଅନୁସାରେ, ଗତକାଲି (ସୋମବାର) ଦିନ ପ୍ରାୟ ୧.୦୪ ମିନିଟ୍ରେ ସମରଡୁଙ୍ଗ ନିକଟ ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ ପ୍ରକଳ୍ପର ୭ କିମି ଲମ୍ବା ନିର୍ମାଣାଧୀନ ସୁଡ଼ଙ୍ଗରେ ଏହି ଦୁର୍ଘଟଣା ଘଟିଛି । ଏନ୍ଏଚ୍ପିସି ଲାଗି ପଟେଲ ଇଞ୍ଜିନିୟରିଂ କମ୍ପାନି ସେହି ସୁଡ଼ଙ୍ଗକୁ ନିର୍ମାଣ କରୁଛି । ଦୁର୍ଘଟଣା ସମୟରେ ସେଠାରେ ୨୭ ଜଣ ଶ୍ରମିକ କାମ କରୁଥିଲେ । ସୁଡ଼ଙ୍ଗ ଖୋଳା ଚାଲିଥିବାବେଳେ ହଠାତ୍ ଭୂସ୍ଖଳନ ହୋଇଥିଲା ଏବଂ ସୁଡ଼ଙ୍ଗ ମଧ୍ୟରେ ପଥର ଚଟାଣ ସନ୍ଧିରେ ଥିବା ମିଥେନ୍ ଗ୍ୟାସ୍ ଅଚାନକ ବିସ୍ଫୋରକ ଭାବେ ବାହାରି ଆସିଥିଲା । ସେଥିଯୋଗୁ ସୁଡ଼ଙ୍ଗ ମଧ୍ୟରେ ପ୍ରବଳ ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ବ୍ୟାପିଯାଇଥିଲା ।
ସୌଭାଗ୍ୟକୁ ୨ ଜଣ ଶ୍ରମିକ ସେଠାରୁ ବାହାରିବାରେ ସଫଳ ହୋଇଥିଲେ । ଅନ୍ୟମାନେ କିନ୍ତୁ ଫସି ଯାଇଥିଲେ । ରିପୋର୍ଟ ଲେଖାଯିବା ସୁଦ୍ଧା ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରାଣ ହରାଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସଡ଼ଙ୍ଗ ମଧ୍ୟକୁ ପ୍ରବେଶ କରିଥିଲେ । କିନ୍ତୁ ସେଠାରେ ମିଥେନ୍ ଗ୍ୟାସ୍ର ଅତ୍ୟଧିକ ମାତ୍ରା ଯୋଗୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏପରିକି କିଛି ଉଦ୍ଧାରକାରୀ ମଧ୍ୟ ଅଚେତ ହୋଇଯାଇଥିବା କୁହାଯାଉଛି ।
Comments ସମସ୍ତ ମତାମତ