ମୁଖ୍ୟ ଖବର
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଛି ଏକ ବିରଳ ଘଟଣା । ମାତ୍ର ୩୪cûi ବୟସରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’ । ଯଦିଓ ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା’ବାଘୁଣୀ ଭାବେ ‘ଜୟଶ୍ରୀ’ ରେକର୍ଡ କରିଛି, ତେବେ ଅପ୍ରାପ୍ତବୟସ୍କ ମା’ ହେତୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି । ଶନିବାର ମଧ୍ୟାହ୍ନରୁ ‘ଜୟଶ୍ରୀ’ ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ ଦେଇଚାଲିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୩ଟି ଶାବକ ଜନ୍ମ ଦେଇଥିବା ବେଳେ ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ଚିନ୍ତାର ବିଷୟ ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ ଶାବକଟିକୁ ଉଦ୍ଧାର କରି ଶିଶୁଯତ୍ନ ଗୃହକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ରାତିରେ ଆହୁରି ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ମାଧ୍ୟମରେ ତା’ଉପରେ ନଜର ରଖାଯାଇଛି । ଜୀବିତ ଗୋଟିଏ ଶାବକକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।
ଗୋଟିଏ ପଟେ ‘ଜୟଶ୍ରୀ’ ମାତ୍ର ୩୪ମାସ ବୟସରେ ଶାବକ ଜନ୍ମ ଦେବା ନନ୍ଦନକାନନ ଇତିହାସରେ ପ୍ରଥମ ଘଟଣା ହୋଇଥିବାବେଳେ ତା’ ସହିତ ମିଳନ ହୋଇଥିବା ବାଘ ‘ଅମିତ’ ପ୍ରାପ୍ତବୟସ୍କ ହେବା ମଧ୍ୟ ଆଶ୍ଚର୍ୟ୍ୟର କଥା । ସୂଚନା ଅନୁଯାୟୀ, ବାଘୁଣୀମାନେ ୩ ରୁ ୪ ବର୍ଷ ବୟସ ଏବଂ ବାଘମାନେ ୪ରୁ ୫ବର୍ଷ ବୟସରେ ପ୍ରାପ୍ତବୟସ୍କ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ସମାନ ୩୪ ମାସ । ଏତେ କମ୍ ବୟସରେ ‘ଜୟଶ୍ରୀ’ ଓ ‘ଅମିତ’ର ମିଳନ ହେବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳାକୁ ପଦାରେ ପକାଇଛି । ଜନ୍ତୁ ବିଭାଗର ଦୁଇ ଜଣ ଏସିଏଫ୍ଙ୍କ ସହିତ ମାଳ ମାଳ ଅଫିସର ଓ କର୍ମଚାରୀ ବାଘମାନଙ୍କ ଦାୟିତ୍ୱରେ ଅଛନ୍ତି । ଉପଯୁକ୍ତ ସମୟରେ ବାଘ ଓ ବାଘୁଣୀଙ୍କ ମିଳନ ପାଇଁ ସୁଯୋଗ ଦେବା କଥା । କିନ୍ତୁ ଏଠାରେ ଗୋଟିଏ ମା’ଠାରୁ ଜନ୍ମ ହୋଇ ‘ଜୟଶ୍ରୀ’ ଓ ‘ଅମିତ’ ଏକତ୍ର ରହୁଥିଲେ । ଜନ୍ମ ହେବା ପରେ ସମୟ କ୍ରମେ ‘ଜୟଶ୍ରୀ’ ଓ ‘ଅମିତ’କୁ ଅଲଗା ରଖିବା କଥା ।
ସୂଚନାଯୋଗ୍ୟ, ବାଘୁଣୀ ‘ଅଙ୍କିତା’ ଓ ବାଘ ‘ନନ୍ଦନ’ ଔରସରୁ ୨୦୨୩ ଫେବ୍ରୁଆରୀ ୧୭ ତାରିଖରେ ୪ଟି ଶାବକ ଜନ୍ମ ହୋଇଥିଲେ । ସେମାନେ ହେଲେ ‘ଜୟଶ୍ରୀ’ ଓ ‘ଅମିତ’ଙ୍କ ସହିତ ଆଉ ଦୁଇ ବାଘୁଣୀ ‘ଶ୍ରୀ’ ଓ ‘ତୃପ୍ତି’ । ସେମାନଙ୍କୁ ୩୧(ଖ) ଖୁଆଡ଼ରେ ୨୦୨୪ ଜାନୁୟାରୀ ୨୦ ତାରିଖରେ ଛଡ଼ାଯାଇଥିଲା । କିଛିଦିନ ତଳେ ‘ଜୟଶ୍ରୀ’ ମା ହେବ ବୋଲି ଜଣାପଡ଼ିଥିଲା । ତେଣୁ ତାକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଏକ ସ୍ୱତନ୍ତ୍ର ଖୁଆଡ଼ରେ୍ ରଖାଯାଇଥିଲା ।
Comments ସମସ୍ତ ମତାମତ