ମୁଖ୍ୟ ଖବର
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା ରହିଛି। ହେଲେ ଏହା ପୂର୍ବରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ଲଘୁଚାପ ସକ୍ରିୟ ରହିଥିବାବେଳେ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏଥିଯୋଗୁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଥିବାବେଳେ ଖରା, ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଏଥିସହ ଆସନ୍ତା ୨ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ବଢ଼ି ପୁନର୍ବାର ୪୫ ଡିଗ୍ରୀ ମୁହଁାହେବ। ଅସହ୍ୟ ଖରା ଓ ଗୁଳୁଗୁଳି ଦହଗଞ୍ଜ କରିବ। ତେବେ ଗୁରୁବାର ଦୁଇଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ଅଧିକାଂଶ ସ୍ଥାନର ତାପମାତ୍ରା ବୃଦ୍ଧି ପାଇଛି। ବଲାଙ୍ଗୀରରେ ସର୍ବାଧିକ ୪୦.୩ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ସମ୍ବଲପୁର ୪୦.୨, ଝାରସୁଗୁଡ଼ା ୩୯.୬, ଭବାନୀପାଟଣା, ଟିଟିଲାଗଡ଼ ଏବଂ ନୂଆପଡ଼ା ୩୯.୫, ହୀରାକୁଦ ୩୯.୨, ବାରିପଦା ୩୯, ନୟାଗଡ଼ ୩୮.୬, ସୋନପୁର ୩୮.୩, ଅନୁଗୋଳ ୩୮.୧, କୋରାପୁଟ, ମାଲକାନଗିରି, ବରଗଡ଼ ଏବଂ ନବରଙ୍ଗପୁରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅପରପକ୍ଷେ ଶୁକ୍ରବାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ମୟୂରଭଞ୍ଜ. କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲାକୁ ଘଡ଼ଘଡ଼ି ସହ ବିଜୁଳି ଏବଂ ୪୦ ରୁ ୫୦ କି.ମି. ବେଗରେ ଝଟକା ପବନ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
Comments ସମସ୍ତ ମତାମତ