ମୁଖ୍ୟ ଖବର
ତାମିଲନାଡୁ: ତାମିଲନାଡୁର କ୍ଷମତାସୀନ ଟିଭିକେ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅନୁମତିକ୍ରମେ ତାମିଲନାଡୁ ରାଜ୍ୟ ମାର୍କେଟିଂ କର୍ପୋରେସନର ମଦ ଦୋକାନଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି ପାଇଛି। ଦୁର୍ନୀତିକୁ ରୋକିବା ଓ ମଦ ବୋତଲ ପାଇଁ ଗ୍ରାହକଙ୍କ ଠାରୁ ଅଧିକ ଚାର୍ଜ ନ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ସରକାରୀ ମଦ ଦୋକାନ ଗୁଡ଼ିକର କାର୍ଯ୍ୟଶୈଳୀରେ ସଂସ୍କାର ଆଣିବା ପାଇଁ ବିଜୟ ସରକାର କରୁଥିବାର ଅଂଶବିଶେଷ ଭାବେ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଛି। ତାମିଲନାଡୁ ରାଜ୍ୟ ମାର୍କେଟିଂ କର୍ପୋରେସନ ଆଉଟଲେଟରେ ମଦ ବୋତଲ ପିଛା ଗ୍ରାହକଙ୍କ ଠାରୁ ଅତିରିକ୍ତ ୧୦ ଟଙ୍କା ଲେଖାଲ ନିଆଯାଉଥିବା ବାରମ୍ବାର ଅଭିଯୋଗ ହେଉଥିଲା। ଏହି ଅତିରିକ୍ତ ଟଙ୍କା ଆଦାୟ ଅଭ୍ୟାସ ଏଣିକି ବର୍ଦ୍ଧିତ ଦରମା ପରେ ବନ୍ଦ ହୋଇଯିବ ବୋଲି ସରକାରଙ୍କ ଆଶା ରଖିଛନ୍ତି।
ଦରମା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ବିଗ୍ନେଶ କହିଛନ୍ତି ଯେ କର୍ମଚାରୀମାନେ ନିର୍ଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ଗ୍ରାହକଙ୍କଠାରୁ ଆଦାୟ କରିବା ପରି ଅଭ୍ୟାସରୁ ଦୂରେଇ ରହିବେ ବୋଲି ସରକାର ଏହି ଦରମା ବୃଦ୍ଧି କରିଛନ୍ତି। ଉନ୍ନତ ଦରମା ମିଳିଲେ ତାମିଲନାଡୁ ରାଜ୍ୟ ମାର୍କେଟିଂ କର୍ପୋରେସନ ଦୋକାନଗୁଡ଼ିକରେ ଦୁର୍ନୀତି କମିବ ଓ କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ବଢ଼ିବ।
ବିଗତ ୨୦ ବର୍ଷ ମଧ୍ୟରେ ତାସମାକ କର୍ମଚାରୀଙ୍କ ପାଇଁ ଏଭଳି ଦରମା ବୃଦ୍ଧି କରାଯାଇ ନଥିଲା। ଏବେ ଦରମା ବୃଦ୍ଧି ସେମାନଙ୍କ ମଧ୍ୟରେ ନୂଆ ସଂସ୍କାର ଆଣିବ ବୋଲି ସେ କହିଛନ୍ତି। ତେବେ ଏହି ବର୍ଦ୍ଧିତ ଦରମା କେମିତି ଲାଗୁ ହେବ, ସେ ବିଷୟରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସି ନାହିଁ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟ ମନ୍ଦିର, ମସଜିଦ, ଚର୍ଚ୍ଚ, ସ୍କୁଲ, କଲେଜ ଓ ବସ ଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ଚାଲୁଥିବା ସମସ୍ତ ତାମିଲନାଡୁ ରାଜ୍ୟ ମାର୍କେଟିଂ କର୍ପୋରେସନ(ତାସମାକ) ଆଉଟ ଲେଟକୁ ବନ୍ଦ କରିବାକୁ କହିଥିଲେ।
ତାମିଲନାଡୁ ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ୪,୭୬୫ ତାସମାକ ମଦ ଦୋକାନ ରହିଛି। ଏହା ମଧ୍ୟରୁ ୭୧୭ଟି ଦୋକାନକୁ ବନ୍ଦ କରାଯାଇଛି। କାରଣ ୨୭୬ଟି ମଦ ଦୋକାନ ଧର୍ମାନୁଷ୍ଠାନ ନିକଟରେ ରହିଥିବା ବେଳେ ୧୮୬ଟି ଶିକ୍ଷାନୁଷ୍ଠାନ ଓ ୨୫୫ଟି ଦୋକାନ ବସ ଷ୍ଟାଣ୍ଡ ନିକଟରେ ରହିଥିଲା।
Comments ସମସ୍ତ ମତାମତ