Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ

    Share on :
    ajab-Image
    Date: Dec 10, 2025    Views: 3698

    ଭୁବନେଶ୍ୱର : ୫ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ ଆଲୋଚନା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେମାନଙ୍କ ମଧ୍ୟରେ ନିଷ୍ପତ୍ତି ସରିଥିଲା ଆଜିଠୁ ସମସ୍ତେ ସମୂହ ଛୁଟିରେ ଯିବେ । ହେଲେ ସରକାରଙ୍କ ପକ୍ଷରୁ ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଧାରଣାସ୍ଥଳରେ ପହଞ୍ଚିଥିଲେ । ଶିକ୍ଷକଙ୍କ ଦାବି ପୂରଣ ନେଇ ସରକାର ସକାରାତ୍ମକ ଥିବା ସେମାନେ କହିଥିଲେ । ଏହାପରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଏଥିରେ ସହମତି ପ୍ରକାଶ କରିଥିଲେ । ତେବେ ବିଧାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନ୍ଦୋଳନସ୍ଥଳରୁ ଯିବା ପରେ ଶିକ୍ଷକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । କଥା କଟାକଟିଠୁ ଆରମ୍ଭ କରି ଠେଲାପେଲା ହୋଇଥିଲେ । ଏପରିକି ହାତାହାତି ଯାଏ କଥା ଯାଇଥିଲା । ଆନ୍ଦୋଳନ ଅନୁମତି ନ ଥିବା ସତ୍ତ୍ଵେ ଉତ୍ତେଜନା ସୃଷ୍ଟି କରୁଥିବାରୁ ପୁଲିସ ସେମାନଙ୍କୁ ଘଉଡ଼ାଇଥିଲା । ଏହାପରେ ସମସ୍ତେ ଆନ୍ଦୋଳନସ୍ଥଳରୁ ପଳାଇଥିଲେ । ସଂଘର ପ୍ରମୁଖ ସଦସ୍ୟ ଏକ ହୋଟେଲରେ ବସି ଆଲୋଚନା କରିଥିଲେ । ଏହାପରେ କହିଥିଲେ, ଆନ୍ଦୋଳନକୁ ୭ ଦିନ ପାଇଁ ସ୍ଥଗିତ ରଖାଗଲା । ସରକାର ଯଦି ୭ ଦିନ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ରାଜ୍ୟର ସମସ୍ତ ଶିକ୍ଷକ ସମୂହ ଛୁଟିରେ ଯିବେ ।

    ସୂଚନାଯୋଗ୍ୟଯେ, ଗତ ୬ତାରିଖ (ଶୁକ୍ରବାର)ଠୁ ୪୨୦୦ ଗ୍ରେଡ୍‌ ପେ ଓ ୨୦୦୧ ମସିହାରୁ କାର୍ୟ୍ୟରତ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦାବିରେ ଆନ୍ଦୋଳନକୁ ଆସିଥିଲା ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ) । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ଅହୋରାତ୍ର ଧାରଣା ଦେଇଥିଲେ । ୭ ତାରିଖରେ ସଂଘ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନାରେ ଶିକ୍ଷକ ସଂଘ ଜିଦ୍‌ ଧରିଥିଲେ ଯେ, ଲିଖିତ ପ୍ରତିଶ୍ରୁତି ମିଳିଲେ ଆନ୍ଦୋଳନ ପ୍ରତ୍ୟାହାର କରିବୁ । ଏପରିକି ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ଵେ ଆନ୍ଦୋଳନରୁ ହଟିବାକୁ ନାରାଜ ହୋଇଥିଲେ । ଶିକ୍ଷକ ଆନ୍ଦୋଳନକୁ ଆସିଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆନ୍ଦୋଳନକୁ ଯାଇଥିବା ଶିକ୍ଷକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ଅନୁମତି ନଥିବାରୁ ସେମାନଙ୍କୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା ।

    ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣଙ୍କର କହିବା କଥା, ଆନ୍ଦୋଳନକାରୀଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ବିଧାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଧାରଣାସ୍ଥଳକୁ ଡାକିଥିଲେ । ତେଣୁ ବିଧାୟକ ଧାରଣାସ୍ଥଳରୁ ଯିବା ପରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଯୁକ୍ତିତର୍କ, ଠେଲାପେଲା ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନାରତ ହୋଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook