Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁଇ ଫାଳ ହୋଇଗଲା ଶିକ୍ଷକ ଆନ୍ଦୋଳନ

    Share on :
    ajab-Image
    Date: Sep 19, 2023    Views: 4178

    ଭୁବନେଶ୍ୱର : ୧୧ ଦିନ ଧରି ଆନ୍ଦୋଳନରେ ବସିଲେ ପ୍ରାଥମିକ ଶିକ୍ଷକ । ଦାବି ପୂରଣ ହେବା ଆଗରୁ ଦୁଇ ଫାଳ ହୋଇଗଲା ଆନ୍ଦୋଳନ । ଶିକ୍ଷକ ସଂଗଠନର ଗୋଟିଏ ଗୋଷ୍ଠୀ ଆନ୍ଦୋଳନକୁ ସ୍ଥଗିତ ରଖିଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି କରିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ ବ୍ୟାନରରେ ପ୍ରାୟ ୧୦ଟି ପ୍ରାଥମିକ ଶିକ୍ଷକ ସଂଘ ଏକାଠି ହୋଇଥିଲେ । ସୋମବାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଆଲୋଚନା ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ (ଏୟୁପିଟିଏଫ୍‌) ଆନ୍ଦୋଳନକୁ ସ୍ଥଗିତ ରଖିଛି । ମାତ୍ର ଅନ୍ୟ ସଂଘମାନେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବ୍ୟାନରରେ ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

    ଶିକ୍ଷକ ଆନ୍ଦୋଳନ ଉପରେ ସୋମବାର ପୂର୍ବାହ୍ନରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ବୈଠକ ବସିଥିଲା ।  ବୈଠକରେ ପ୍ରାଥମିକ ଶିକ୍ଷକ ସଂଘ ନେତାମାନେ ୩ ଦଫା ଦାବି ଉପସ୍ଥାପନ କରିଥିଲେ । ଶିକ୍ଷକମାନଙ୍କ କ୍ୟାଡରରେ ବହୁ ଅସଙ୍ଗତି ରହିଛି । ତେଣୁ ତାକୁ ସଜାଡ଼ିବା ପାଇଁ ସମୟ ଲାଗିବ । ଶିକ୍ଷକଙ୍କ ଦାବି ନିଶ୍ଚିତଭାବେ ପୂରଣ କରାଯିବ । ତେଣୁ ଆନ୍ଦୋଳନରୁ ଓହରିଯିବାକୁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଅନୁରୋଧ କରିଥିଲା । ପରେ ଅପରାହ୍ନରେ ପ୍ରାଥମିକ ଶିକ୍ଷକମାନଙ୍କର ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କମିଟିରେ ୧୦ଟି ସଂଘର ନେତୃତ୍ୱମାନେ ଉପସ୍ଥିତ ଥିଲେ । ସରକାରଙ୍କ ପ୍ରତିଶ୍ରୁତି ଉପରେ ଆଲୋଚନା କରାଯାଇଥିଲା । 

    ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ କହିବା କଥା, ଆଲୋଚନା ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ (ଏୟୁପିଟିଏଫ୍‌) ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଏହାପରେ ଅନ୍ୟ ସଂଘମାନଙ୍କର ବୈଠକ ବସିଥିଲା ।  ସେମାନଙ୍କ ନିଷ୍ପତ୍ତି ଅନୁସାରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବ୍ୟାନରରେ ଧାରଣା ଜାରି ରଖିବେ । ଏହି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର କହିବା କଥା, ଯେଉଁ ସଂଘ ଆମ ଆନ୍ଦୋଳନରୁ ଓହରିଗଲେ ସେମାନେ ପୁରୁଣା ପେନସ୍‌ନଭୁକ୍ତ ଶିକ୍ଷକ ଅଟନ୍ତି । ସେମାନଙ୍କର ସଂଖ୍ୟା କମ୍‌ । ଆମେ ନୂତନ ପେନସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକ । ସରକାରଙ୍କ ଆମ ଦାବି ଯେଉଁ ପର୍ୟ୍ୟନ୍ତ ନଶୁଣିଛନ୍ତି ସେ ପର୍ୟ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

    ଅନ୍ୟପଟେ ଏୟୁପିଟିଏଫ୍‌ ମହାସଚିବ ଚାରୁଲତା ମହାପାତ୍ର ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି, ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକର ଅଧ୍ୟକ୍ଷଙ୍କ ପ୍ରତିଶୃତି ମିଳିଛି । ସରକାର ଆମ ଦାବି ନିଶ୍ଚିତ ଶୁଣିବେ । ତେଣୁ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି ଆନ୍ଦୋଳନକୁ ସ୍ଥଗିତ ରଖାଗଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook