Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କୁ ମିଳିବ ଜାତୀୟ ଶିକ୍ଷକ ପୁରସ୍କାର

    Share on :
    ajab-Image
    Date: Aug 23, 2026    Views: 3734

    ଭୁବନେଶ୍ୱର : ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଶିକ୍ଷାଦାନ ଶୈଳୀ ଏବଂ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦରାଜ ଉମାକାନ୍ତ ନାୟକ ୨୦୨୬ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀ ନାୟକ ୨୦୦୪ ମସିହା ଫେବୃଆରୀ ୨୦ ତାରିଖରେ ବାରମୁଣ୍ଡଳୀସ୍ଥିତ ମରୀଚପୁର ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଜର ଶିକ୍ଷାଦାନ ଜୀବନ ଆରମ୍ଭ କରିଥିଲେ । ଅଭିଜ୍ଞତା ଭିତ୍ତିକ ଓ ସୃଜନଶୀଳ ଶିକ୍ଷାଦାନ ମାଧ୍ୟମରେ ଶ୍ରେଣୀଗୃହ ଶିକ୍ଷାଦାନର ମାନ ବୃଦ୍ଧି କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ୨ ଟି ଅନ୍ତର୍ଜାତୀୟ ଓ ୪ ଟି ଜାତୀୟ ସମ୍ମିଳନୀରେ ଶିକ୍ଷାଦାନ ପଦ୍ଧତି ସମ୍ପର୍କିତ ଗବେଷଣା ପତ୍ର ଉପସ୍ଥାପନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ନିଜର ଅତୁଳନୀୟ ଯୋଗଦାନ ପାଇଁ ଶ୍ରୀ ନାୟକ ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୩" ଏବଂ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି ।

    ରାଜ୍ୟ ବୋର୍ଡ ବିଜ୍ଞାନ ପାଠ୍ୟପୁସ୍ତକକୁ ଆଧାର କରି ତାଙ୍କ ଦ୍ୱାରା ଲିଖିତ ପୁସ୍ତକ "ବିଜ୍ଞାନାଗାରରେ ପରୀକ୍ଷା" ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ସ୍କୁଲ ଲାବ୍ରୋଟୋରୀ ଏବଂ ଘରେ ମିଳୁଥିବା ସହଜଲଭ୍ୟ ସାମଗ୍ରୀକୁ ବ୍ୟବହାର କରି ବିଜ୍ଞାନ ପରୀକ୍ଷଣ କରିବାର ସରଳ ଉପାୟ ରହିଛି, ଯାହା ଶିକ୍ଷାର୍ଥୀଙ୍କ ପାଇଁ ବିଜ୍ଞାନ ପାଠକୁ ଅଧିକ କାର୍ଯ୍ୟଭିତ୍ତିକ ଓ ଆନନ୍ଦଦାୟକ କରିପାରିଛି ।

    ଏହା ବ୍ୟତୀତ ଶ୍ରୀ ନାୟକ ଏକାଧିକ ଇ-କଣ୍ଟେଣ୍ଟ ପ୍ରସ୍ତୁତ କରିବା ସହ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ୟୁଟ୍ୟୁବ୍ ଲାଇଭ୍ କ୍ଲାସରେ ଶିକ୍ଷାଦାନ କରିଛନ୍ତି । ତାଙ୍କର ନୂତନ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ମଧ୍ୟରେ ପ୍ରକଳ୍ପ ଭିତ୍ତିକ ଶିକ୍ଷା, ଗବେଷଣା ଭିତ୍ତିକ ଶିକ୍ଷା, ହାତପାହାନ୍ତା କାର୍ଯ୍ୟକଳାପ, ନୃତ୍ୟ ମାଧ୍ୟମରେ ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା, ଯୋଗ ମାଧ୍ୟମରେ ଶିକ୍ଷା, ଖେଳ ମାଧ୍ୟମରେ ଶିକ୍ଷା ଏବଂ କଳା ମାଧ୍ୟମରେ ବିଜ୍ଞାନ ଶିକ୍ଷା ଅନ୍ତର୍ଭୁକ୍ତ । ଏହି ଆଭିମୁଖ୍ୟ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ଆନନ୍ଦଦାୟକ, ସକ୍ରିୟ ଏବଂ ଛାତ୍ରକୈନ୍ଦ୍ରିକ କରିପାରିଛି ।

    ଭୌତିକ ବିଜ୍ଞାନ ଓ ଗଣିତର ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରି ସେ ଶିକ୍ଷକମାନଙ୍କର ଶୈକ୍ଷିକ ଦକ୍ଷତା ବୃଦ୍ଧି କରିବା ସହ ବିଜ୍ଞାନ ଓ ଗଣିତ ଶିକ୍ଷାରେ ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଛନ୍ତି । ତାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଜଣେ ଛାତ୍ର ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ କାର୍ଯ୍ୟକ୍ରମରେ ଏବଂ ୮ ଜଣ ଛାତ୍ର ଜାତୀୟସ୍ତରର ବିଜ୍ଞାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଗୌରବ ଅର୍ଜନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook