ମୁଖ୍ୟ ଖବର
ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ ପାଇଁ ମନୋନୀତ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି । ସରକାର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ଅବଦାନ ପାଇଁ ୪୮ ଜଣ ଶିକ୍ଷକଙ୍କ ନାମ ଘୋଷଣା କରିଛନ୍ତି । ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ପ୍ରକାଶିତ ତାଲିକାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସୈନିକ ସ୍କୁଲ, ଆଦର୍ଶ ଜନଜାତି ସ୍କୁଲ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ଭଳି ଅନୁଷ୍ଠାନର ଶିକ୍ଷକମାନେ ମଧ୍ୟ ସାମିଲ ଅଛନ୍ତି । ତେବେ ଓଡ଼ିଶାରୁ ଜଣେ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ ପାଇବା ପାଇଁ ମନୋନୀତ ହେଇଛି ।
ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ ପାଇଁ ଓଡ଼ିଶାରୁ ଜଗତସିଂହପୁର ଜିଲ୍ଲା ଅଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ନାମ ଘୋଷଣା କରାଯାଇଛି । ଶିକ୍ଷକ ଦିବସ ଅବସରରେ ସେପ୍ଟେମ୍ବର ୫ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୪୮ ଜଣ ସ୍କୁଲ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ।
ମନ୍ତ୍ରଣାଳୟ ଅନୁଯାୟୀ, ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶର କିଛି ଉତ୍କୃଷ୍ଟ ଶିକ୍ଷକଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କୁ ସମ୍ମାନିତ କରିବା । ଯେଉଁମାନେ ନିଜର ପ୍ରତିବଦ୍ଧତା ଏବଂ ସମର୍ପଣ ମାଧ୍ୟମରେ କେବଳ ସ୍କୁଲ ଶିକ୍ଷାର ଗୁଣବତ୍ତା ଉନ୍ନତ କରିନାହାଁନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଜୀବନକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି ସେମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଏ ।
୨୦୨୬ ବର୍ଷ ପାଇଁ, ଶିକ୍ଷା ମନ୍ତ୍ରଣାଳୟର ଜାତୀୟ ଶିକ୍ଷକ ପୁରସ୍କାର ପୋର୍ଟାଲ୍ ମାଧ୍ୟମରେ ଜୁନ୍ ୧୫ରୁ ଜୁଲାଇ ୨୦ ତାରିଖ ପର୍ୟ୍ୟନ୍ତ ଯୋଗ୍ୟ ଶିକ୍ଷକମାନଙ୍କଠାରୁ ଅନଲାଇନ୍ ସ୍ୱ-ନାମାଙ୍କନଆମନ୍ତ୍ରଣ କରାଯାଇଥିଲା । ୨୭ଟି ରାଜ୍ୟ, ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୬ଟି କେନ୍ଦ୍ର ସରକାରୀ ସଂଗଠନରୁ ମୋଟ ୪୮ ଜଣ ସ୍କୁଲ ଶିକ୍ଷକଙ୍କୁ ଚୟନ କରାଯାଇଛି । ତାଲିକାରେ ୨୬ ଜଣ ଶିକ୍ଷକ ଓ ୨୨ ଜଣ ଶିକ୍ଷୟତ୍ରୀ ଅଛନ୍ତି ।
Comments ସମସ୍ତ ମତାମତ