ମୁଖ୍ୟ ଖବର
ମେଲ୍ବୋର୍ଣ୍ଣ : ଆଜି ଏଠାରେ ଟ୍ବେଣ୍ଟି୨୦ ବିଶ୍ବକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ଫାଇନାଲରେ ଇଂଲଣ୍ଡକୁ ହରାଇ କିମ୍ବଦନ୍ତୀ କ୍ରିକେଟର ଇମ୍ରାନ୍ ଖାଁଙ୍କ ସହ ସମକକ୍ଷ ହେବାକୁ ବାବର ଆଜମ୍ ଲକ୍ଷ୍ୟ ରଖିଛନ୍ତି। ସମ୍ମୁଖରେ ଅତ୍ୟନ୍ତ ଶକ୍ତିଶାଳୀ ଇଂଲଣ୍ଡ। ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ବ୍ୟାଟିଂ ଦଳର ମାନ୍ୟତା ପାଇଥିବା ଇଂଲଣ୍ଡକୁ ପରାସ୍ତକରି ୨ୟ ଥର ଟ୍ବେଣ୍ଟି୨୦ ବିଶ୍ବକପ୍ ଚମ୍ପିଆନ୍ ହେବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି। ୨୦୦୭ ଟି୨୦ ବିଶ୍ବକପ୍ର ଫାଇନାଲରେ ଭାରତଠାରୁ ପରାସ୍ତହେବା ପରେ ୨୦୦୯ରେ ପାକିସ୍ତାନ୍ ଚମ୍ପିଆନ୍ ହୋଇଥିଲା। ୨୦୧୦ରେ ପରବର୍ତ୍ତୀ ସଂସ୍କରଣରେ ଇଂଲଣ୍ଡ ଏହି ଟ୍ରଫି ଜିତିଥିଲା। ମେଲ୍ବୋର୍ଣ୍ଣର ପିଚ୍ ପେସ୍ ବୋଲରଙ୍କୁ ସହାୟତା ଦେବାର ଥିବାରୁ ପାକିସ୍ତାନର ଫାଷ୍ଟବୋଲରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ତେବେ ୯ନଂ ପର୍ୟ୍ୟନ୍ତ ଲମ୍ବା ବ୍ୟାଟିଂ ଲାଇନ୍ ଥିବା ଇଂଲଣ୍ଡ ଦଳ ପାକିସ୍ତାନୀ ଆକ୍ରମଣର ମୁକାବିଲା ପାଇଁ ସକ୍ଷମ। ତେଣୁ ଫାଇନାଲରେ ପାକିସ୍ତାନର ବୋଲିଂ ଓ ଇଂଲଣ୍ଡର ବ୍ୟାଟିଂ ମଧ୍ୟେର ମୁଖ୍ୟତଃ ମୁକାବିଲା ହେବ।
ଏହି ବିଶ୍ବକପ୍ରେ ଫାଇନାଲ ପର୍ୟ୍ୟନ୍ତ ପାକିସ୍ତାନର ଯାତ୍ରା କୌଣସି ବଲିଉଡ୍ ଥ୍ରିଲର ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ପ୍ରଥମ ସପ୍ତାହରେ ପାକିସ୍ତାନ ଏପରି ପ୍ରଦର୍ଶନ କରିଥିଲା; ଲାଗୁଥିଲା ଏହା ଗ୍ରୁପ୍ର ପ୍ରଥମ ୩ଟି ସ୍ଥାନରେ ମଧ୍ୟ ରହିପାରିବ ନାହିଁ। ଭାରତଠାରୁ ପ୍ରଥମ ମ୍ୟାଚ୍ ହାରିବା ପରେ ଜିମ୍ବାୱେଠାରୁ ମଧ୍ୟ ପାକିସ୍ତାନ ହାରିଥିଲା। ହେଲେ ୨ୟ ସପ୍ତାହରେ ଏହା ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଦକ୍ଷିଣ ଆଫ୍ରିକା ପରି ଦଳକୁ ହରାଇଥିଲା। ତଥାପି ଏହା ସ୍ବଦେଶ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ହରାଇବା ପରେ ପାକିସ୍ତାନ ସେମିରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିରେ ଦଳର ଦୁଇ ମୁଖ୍ୟ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ଓ ମହମ୍ମଦ ରିଜ୍ୱାନ ଫର୍ମକୁ ଫେରି ଦଳକୁ ଫାଇନାଲରେ ପହଞ୍ଚାଇଥିଲେ।
Comments ସମସ୍ତ ମତାମତ