ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଷ୍ଟ୍ରେଲୀୟ ପାଣିପାଗ ବିଭାଗ ଅନୁଯାୟୀ ରବିବାର ମେଲବୋର୍ଣ୍ଣରେ ବର୍ଷା ହେବାର ୯୫ପ୍ରତିଶତ ସମ୍ଭାବନା ରହିଛି। ବର୍ଷାର ପରିମାଣ ୫ରୁ ୧୦ ମିଲିମିଟର ହୋଇପାରେ। ଆଇସିସି ବର୍ଷାକୁ ଦୃଷ୍ଟିରେ ରଖି ଫାଇନାଲ ପାଇଁ ଅତିରିକ୍ତ ଦିବସ ଧାର୍ୟ୍ୟ କରିଛି। ମ୍ୟାଚ ଯଦି ୧୦ ଓଭର ବିଶିଷ୍ଟ ହୋଇନପାରେ ତେବେ ଅତିରିକ୍ତ ଦିବସରେ ଖେଳାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ବର୍ଷା ପାଇଁ ଯଦି ଦୁଇଦିନ ଯାକ ମ୍ୟାଚ ଖେଳାଯିବା ସମ୍ଭବପର ନହୁଏ ତେବେ ଉଭୟ ଇଂଲଣ୍ଡ ଓପାକିସ୍ତାନକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ପ୍ରଥମତଃ ଫାଇନାଲ ମ୍ୟାଚକୁ ରବିବାର ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି। ମ୍ୟାଚ ସ୍ଥାନୀୟ ସମୟ ଅନୁଯାୟୀ ରାତି ୭ଟାରୁ ଖେଳାଯିବ। ଯଦି ରବିବାର ମ୍ୟାଚ ସମ୍ଭବପର ନହୁଏ ତେବେ ସୋମବାର ସ୍ଥାନୀୟ ସମୟ ଅପରାହ୍ଣ ୩ଟାରୁ ଖେଳାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ପୂର୍ବରୁ ବର୍ଷା ପାଇଁ ୨୦୦୨ ଆଇସିସି ଚମ୍ପିଆନ୍ସ ଟ୍ରଫି ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ହୋଇଥିବାବେଳେ ୨୦୧୯ ଦିନିକିଆ ବିଶ୍ବକପର ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦ୍ବିତୀୟ ଦିନରେ ଖେଳାଯାଇଥିଲା।
Comments ସମସ୍ତ ମତାମତ