ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହୋଇ ଆସୁଛି । ଆଉ କିଛି ଘଣ୍ଟା ପରେ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଗୁଲ । ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ୟୁଏସଏ ଲଢ଼େଇ ପୂର୍ବରୁ କଲମ୍ବୋରେ ପାକିସ୍ତାନ-ନେଦରଲାଣ୍ଡସ ଏବଂ କୋଲକାତାରେ ସ୍କଟଲାଣ୍ଡ-ୱେଷ୍ଟଇଣ୍ଡିଜ ମୁହାମୁହିଁ ହେବେ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ୨୦୨୬ ସଂସ୍କରଣର ଆୟୋଜକ ରହିଛନ୍ତି । ୨୦ଟି ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ଭାରତରେ ୫ଟି ଏବଂ ଶ୍ରୀଲଙ୍କାରେ ୩ଟି ଷ୍ଟାଡିୟମରେ ମୋଟ୍ ୫୫ଟି ମ୍ୟାଚ୍ ଖେଳାଯିବ । ଏହାକୁ ମିଶାଇ ଦ୍ୱିତୀୟ ଥର ଭାରତ ବିଶ୍ୱକପ୍ ଆୟୋଜନ କରୁଛି । ବାଂଲାଦେଶ ଓ ପାକିସ୍ତାନ ବିଶ୍ୱକପ୍ରେ ବିବାଦର ଛିଟା ବୋଳିଛନ୍ତି ।
ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ ବୋଲି ଜିଦ୍ କରିଥିଲା । କିନ୍ତୁ ଆଇସିସି ବାରମ୍ବାର ବୁଝାଇବା ସତ୍ତେ୍ୱ ବି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ବୁଝି ନଥିଲା । ଶେଷରେ ବିସିବି ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା ଆଇସିସି । ସେମିତି କୌଣସି କାରଣ ନଥାଇ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବ ବୋଲି କହିଛି । ବାଦ ବିବାଦ ସତ୍ତେ୍ୱ ବିଶ୍ୱ କ୍ରିକେଟ୍ ପ୍ରେମୀ ଫଟାଫଟ କ୍ରିକେଟର ଭରପୁର ରୋମାଞ୍ଚ ନେବାକୁ ଅପେକ୍ଷା କରି ରହିଛନ୍ତି । ଏ ପର୍ଯ୍ୟନ୍ତ ୬ଟି ଦଳ ବିଶ୍ୱ ଟାଇଟଲ ଟେକି ଧରିବାର ସୌଭାଗ୍ୟ ଲାଭ କରିଛନ୍ତି । ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଥରୁଟିଏ ଲେଖାଏଁ ଫାଇନାଲ ଖେଳିଥିଲେ ବି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଛୁଇଁବାର ସ୍ୱପ୍ନ ସାକାର କରିପାରି ନାହାନ୍ତି ।
ଡିଫେଣ୍ଡିଂ ଚାମ୍ପିଅନ ଭାରତ-ୟୁଏସ୍ଏ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଦଶମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ ପୂର୍ବରୁ ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ବାଦଶାହ, ନୋରା ଫତେହି, ରିଷବ ଶର୍ମା ଓ ଶିବମଣି ଦର୍ଶକଙ୍କ ମନୋରଞ୍ଜନ କରିବେ । ମ୍ୟାଚ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେବ । ତା’ ପୂର୍ବରୁ ସନ୍ଧ୍ୟା ୬ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିଶ୍ୱକପ୍ ଟ୍ରଫି ଷ୍ଟାଡିୟମରେ ଆକାଶରୁ ଭୂଇଁ ଛୁଇଁବ । ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିଭିନ୍ନ ଦେଶରୁ ୨୦ ଜଣ ଯୁବ ଆମ୍ବାସଡର ଟ୍ରଫିକୁ ସ୍ୱାଗତ କରିବେ । ସମସ୍ତେ ମିଳିତ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ । ଯେଉଁ ଦର୍ଶକମାନେ ଟିକେଟ୍ କାଟି ଥିଲେ ସେମାନେ ହିଁ ଉଦ୍ଘାଟନୀ ଉତ୍ସବ ଦେଖି ପାରିବେ ।
ଫେବ୍ରୁଆରୀ ୭ରୁ ଟି-ଟ୍ୱେଣ୍ଟି ବିଶ୍ୱକପର ଦଶମ ସଂସ୍କରଣ ଆରମ୍ଭ ହେବ । ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ (ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ଅହମ୍ମଦାବାଦ) ଓ ଶ୍ରୀଲଙ୍କାର (କଲମ୍ବୋ ଓ କାଣ୍ଡି) ୭ଟି ସହରରେ ୨୦ଟି ଦଳ ମୋଟ୍ ୫୫ଟି ମ୍ୟାଚ୍ ଖେଳିବେ । ଉଦ୍ଘାଟନୀ ଦିବସରେ ପାକିସ୍ତାନ ଓ ନେଦରଲାଣ୍ଡସ ପ୍ରଥମ ମ୍ୟାଚ୍ ଖେଳିବେ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ୨୨ ତାରିଖରୁ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବ । ମାର୍ଚ୍ଚ ୪ରେ ପ୍ରଥମ ସେମି ଏବଂ ୫ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ ।
Comments ସମସ୍ତ ମତାମତ