Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍

    Share on :
    ajab-Image
    Date: Mar 8, 2026    Views: 2407

    ଅହମ୍ମଦାବାଦ୍‌ : ଫଟାଫଟ କ୍ରିକେଟ ମହାକୁମ୍ଭର ମହା ମୁକାବିଲା ଲାଗି ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରସ୍ତୁତ। ଆଜି ଉକ୍ତ ଷ୍ଟାଡିୟମରେ ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ। ଫାଇନାଲ ଲାଗି ଦୁଇ ଦଳ ଅଭ୍ୟାସ ସହ ରଣନୀତି ଶେଷ କରିଥିବାବେଳେ ଏହି ମହା ଲଢେଇକୁ ନେଇ ସାରା ବିଶ୍ବର କ୍ରିକେଟ ପ୍ରେମୀ ଉଲ୍ଲସିତ ଅଛନ୍ତି। କ୍ରିକେଟ ଇତିହାସରେ ଦୁଇ ଦଳ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଚେଷ୍ଟା କରିବେ। ୨୦୦୭ ଓ ୨୦୨୪ର ଚମ୍ପିଆନ ଭାରତ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଗତଥରର ବିଜେତା ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବାରୁ ସର୍ବାଧିକ ତୃତୀୟ ଟ୍ରଫି ଜିତିବ​‌ା ନେଇ ଦୃଢ ଆତ୍ମବିଶ୍ବାସ ରଖିଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ ଟ୍ରଫି ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ରହିଛି। ଉଭୟ ଦଳ ପ୍ରଥମ୍ ଥର ପାଇଁ ଉକ୍ତ ପ୍ରତିଯୋଗିତାର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଫାଇନାଲ ମ୍ୟାଚ ସହ ଉଭୟ ଦଳର ଭାବାବେଗ ଜଡ଼ିତ ଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।
    ଟି୨୦ ବିଶ୍ବକପର ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୩ଟି ଯାକ ମ୍ୟାଚରେ ପରାଜିତ ହୋଇଛି। କିନ୍ତୁ ୨୦୨୬ର ଟି୨୦ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୫ଟି ମ୍ୟାଚରୁ ୪ଟି ବିଜୟ ଲାଭ କରିଛି। ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲିଗ୍‌ ପର୍ୟ୍ୟାୟରେ ଆମେରିକା, ପାକିସ୍ତାନ, ନାମିବ୍ୟା ଓ ନେଦରଲାଣ୍ଡ୍‌ସକୁ ପରାସ୍ତ କରି ଅପରାଜୟ ସହ ସୁପର ଏଇଟ୍‌ସରେ ପହଞ୍ଚିଥିଲା। ସୁପର ଏଇଟ୍‌ସର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୭୬ରନରେ ପରାଜିତ ହେବା ପରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଦଳ ଶକ୍ତିଶାଳୀ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓପନର ସଞ୍ଜୁ ସାମସନ, ଈଶାନ କିଷନ. ସୂର୍ୟ୍ୟକୁମାର, ଯାଦବ, ଶିଭମ ଦୁବେ ଓ ହାର୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ରହିଛନ୍ତି। ଯାହା ନ୍ୟୁଜିଲାଣ୍ଡ ପାଇଁ ନିଶ୍ଚିତ ଚିନ୍ତାର କାରଣ ହେବ। ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଯଶପ୍ରୀତ ବୁମ୍‌ରା ହିଁ ଭାରତର ମୁଖ୍ୟ ଅସ୍ତ୍ର। ଏହାଛଡ଼ା ଅର୍ଶଦୀପ ସିଂହ , ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ୱିକେଟ ନେଉଛନ୍ତି। ବରୁଣ ୱିକେଟ ନେଉଥିଲେ ମଧ୍ୟ ମହଙ୍ଗ​‌ା ସାବ୍ୟସ୍ଥ ହେବା ଦଳକୁ ଚିନ୍ତାରେ ପକାଇଛି। ଉଭୟ କ୍ଷେତ୍ରରେ ଭାରତ ଶକ୍ତିଶାଳୀ ରହିଥିବାରୁ ଟାଇଟଲ ବଜାୟ ନେଇ ଦୃଢ ଆଶାବାଦୀ ରହିଛି। ଅହମ୍ମଦାବାଦରେ ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ହୋଇଥିଲା। ଉକ୍ତ ପରାଜୟ ୧୫୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ୩ ବର୍ଷ ତଳର ଉକ୍ତ କ୍ଷତକୁ ଭରଣ କରିବା ନେଇ ଏବେ ଭାରତ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଲିଗ୍‌ ଓ ସୁପର ଏଇଟ୍‌ସ ପର୍ୟ୍ୟାୟରେ ଅସ୍ଥିର ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି। ଦଳ ସେମିଫାଇନାଲରେ ଟୁର୍ଣ୍ଣାମେଣ୍ଟର ଅପରାଜୟ ଥିବା ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫିନ ଆଲେନଙ୍କ ୩୩ ବଲରୁ ୧୦୦ରନ ଦଳର ଆତ୍ମ ବିଶ୍ବାସକୁ ବଢାଇଛି। ଅନ୍ୟମାନଙ୍କ ମଧ୍ୟରେ ଟିମ୍‌ ସୈଫର୍ଟ, ଡାରେଲ ମିଚେଲ, ରଚିନ ରବୀନ୍ଦ୍ର ଓ ଗ୍ଳେନ ଫିଲିପ୍ସଙ୍କ ଭଳି ବ୍ୟାଟ୍‌ସମ୍ୟାନ ମଧ୍ୟ ଦଳରେ ରହିଛନ୍ତି। ସାଣ୍ଟନର ଓ ରଚିନ ରବୀନ୍ଦ୍ରଙ୍କ ସ୍ପିନ ଓ କାଏଲ ଜେମିସନ ଓ ମ୍ୟାଟ୍‌ ହେନରୀଙ୍କ ଫାଷ୍ଟ ବୋଲର ଦଳର ମୁଖ୍ୟ ଅସ୍ତ୍ର। ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁବ ନାହିଁ।

    Maximum 500 characters

    ଖେଳ ଖବର View all

    Find Us on Facebook