ମୁଖ୍ୟ ଖବର
ପାଲ୍ଲେକେଲେ: ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ମଙ୍ଗଳବାର ସୁପର ୮ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଦୁଇ ପୂର୍ବତନ ଚମ୍ପିଆନ୍ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଗ୍ରୁପ୍-୨ର ମ୍ୟାଚ୍ ଖେଳାଯିବ। ଉଭୟ ଦଳଙ୍କର ଏହା ଦ୍ବିତୀୟ ମ୍ୟାଚ୍ ଥିବା ବେଳେ ସେମାନଙ୍କ ଖାତାରେ ପଏଣ୍ଟ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ପାକିସ୍ତାନକୁ ୧ ପଏଣ୍ଟ ମିଳିଛି। ଅନ୍ୟପକ୍ଷରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୧୪୬ ରନ୍ କରିବା ସତ୍ତ୍ବେ ୫୧ ରନ୍ରେ ବିଜୟୀ ହୋଇଛି। ଇଂଲଣ୍ଡର ସ୍ପିନର ଚମତ୍କାର ବୋଲିଂ କରି ଦଳକୁ ଜିତାଇଥିଲେ। ମଙ୍ଗଳବାର ମ୍ୟାଚ୍ରେ ପୁଣିଥରେ ସ୍ପିନ୍ ଲଢ଼େଇ ଦେଖିବାକୁ ମିଳିବ। ପାକିସ୍ତାନ ନିୟମିତ ଭାବେ ୪ ବିଶେଷଜ୍ଞ ବୋଲରଙ୍କୁ ଖେଳାଉଛି। ସେମାନେ ହିଁ ଦଳକୁ ଏଯାବତ୍ ଆଣି ପାରିଛନ୍ତି। ପାକିସ୍ତାନକୁ ହରାଇଲେ ଇଂଲଣ୍ଡର ସେମିଫାଇନାଲ ସ୍ଥାନ ପ୍ରାୟ ନିଶ୍ଚିତ ହୋଇଯିବ। ଅନ୍ୟପକ୍ଷରେ ସେମିଫାଇନାଲ ଖେଳିବା ଆଶା ବଜାୟ ରଖିବାକୁ ହେଲେ ପାକିସ୍ତାନକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଏହା ପାକିସ୍ତାନକୁ ପ୍ରବଳ ଚାପରେ ରଖିବ।
ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଟି୨୦ ବିଶ୍ବକପ୍ରେ ଥରେ ମଧ୍ୟ ଜିତିନାହିଁ। ଉଭୟ ଟି୨୦ ବିଶ୍ବକପ୍ରେ ୩ଟି ମ୍ୟାଚ୍ ଖେଳିଥିବା ବେଳେ ଇଂଲଣ୍ଡ ସମସ୍ତ ମ୍ୟାଚ୍ ଜିତିଛି। ତେଣୁ ପାକିସ୍ତାନ ଏହି ଧାରା ଭାଙ୍ଗିବାକୁ ଚାହିଁବ। ଅନ୍ୟପକ୍ଷରେ ଶକ୍ତିଶାଳୀ ପାକିସ୍ତାନ ବୋଲିଂ ବିପକ୍ଷରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ସଫଳ ହେବାକୁ ପଡ଼ିବ। ୫ଟି ମ୍ୟାଚ୍ରୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମିଳିତ ଭାବେ ମାତ୍ର ୫ଟି ଅର୍ଦ୍ଧଶତକ ମାରିଛନ୍ତି। ଜାକବ୍ ବିଥେଲ ଓ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ୱିଲ୍ ଜ୍ୟାକ୍ସ ଭଲ ବ୍ୟାଟିଂ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଓପ୍ନର ଫିଲ୍ ସଲ୍ଟ ୬୨ ରନ୍ କରିବାରୁ ଦଳ ଜିତିଥିଲା। ହେଲେ ଓପ୍ନର ଜୋସ୍ ବଟ୍ଲରଙ୍କ ବ୍ୟାଟ୍ ଅଦ୍ୟାବଧି ଚାଲିନାହିଁ। ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ୍ ମଧ୍ୟ ନିୟମିତ ରନ୍ କରିନାହାନ୍ତି। ତଳ ଅର୍ଡରରେ ଜ୍ୟାକ୍ସ ଓ ସାମ୍ କରନ୍ ଉପଯୋଗୀ ଯୋଗଦାନ କରିଛନ୍ତି। ଟମ୍ ବାଣ୍ଟନଙ୍କୁ ନିୟମିତ ସୁଯୋଗ ମିଳୁଥିଲେ ହେଁ ସେ ବଡ଼ ସ୍କୋର୍ କରିନାହାନ୍ତି। ତେଣୁ ପାକିସ୍ତାନକୁ ହରାଇବାକୁ ହେଲେ ଇଂଲଣ୍ଡକୁ ତା’ର ବ୍ୟାଟିଂ ସ୍ତରକୁ ଉପରକୁ ଉଠାଇବାକୁ ପଡ଼ିବ।
ଇଂଲଣ୍ଡର ଲେଗ୍ସ୍ପିନର ଆଦିଲ ରସିଦ୍ ଓ ଫାଷ୍ଟବୋଲର ଜୋଫ୍ରା ଆର୍ଚର ଚମ୍ପିଆନ୍ଙ୍କ ପରି ବୋଲିଂ କରିଛନ୍ତି। ପେସ୍ ବୋଲର ଜେମି ଓଭର୍ଟନ ମଧ୍ୟ ଭଲ ବୋଲିଂ କରୁଛନ୍ତି। ଇଂଲଣ୍ଡର ସ୍ପିନ୍ ଆକ୍ରମଣରେ ବିବିଧତା ରହିଛି। ଲେଗ୍ସ୍ପିନର ଆଦିଲ୍ ରସିଦ୍ଙ୍କ ସହ ଅଫ୍ସ୍ପିନର ୱିଲ୍ ଜ୍ୟାକ୍ସ ଓ ବାମହାତି ସ୍ପିନର ଲିଆମ୍ ଡସନ୍ ରହିଛନ୍ତି। ଏ ତିନିହେଁ ନିୟମିତ ଭଲ ବୋଲିଂ କରୁଛନ୍ତି। ଅତୀତର ରେକର୍ଡକୁ ଦେଖିଲେ ଟ୍ବେଣ୍ଟି୨୦ରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ପ୍ରଦର୍ଶନ ଭଲ ରହିଛି। ଉଭୟ ଦଳଙ୍କ ମଧ୍ୟରେ ୩୧ଟି ମ୍ୟାଚ୍ରୁ ଇଂଲଣ୍ଡ ୨୧ଟି ଜିତିଛି। ତେବେ ପାକିସ୍ତାନ ପାଇଁ ଖୁସିର କଥା ଯେ ଓପ୍ନର ସାହେବ୍ଜାଦା ଫର୍ହାନ ଫର୍ମରେ ଅଛନ୍ତି। ଗୋଟିଏ ଶତକ ଓ ଅର୍ଦ୍ଧଶତକ ସହ ଫର୍ହାନ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୨୦ ରନ୍ କରିଛନ୍ତି। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଶହେ ରନ୍ ମଧ୍ୟ ଛୁଇଁ ପାରିନାହାନ୍ତି। ତେଣୁ ଇଂଲଣ୍ଡ ପରି ଦଳକୁ ହରାଇବାକୁ ହେଲେ ପାକିସ୍ତାନର ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ରନ୍ କରିବାକୁ ପଡ଼ିବ। ପାଲ୍ଲେକେଲେ ପିଚ୍ରେ ଅଧିକ ରନ୍ ହେବ।
Comments ସମସ୍ତ ମତାମତ