Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ-ପାକିସ୍ତାନ ଟକ୍କର: ବର୍ଷା ଆଶଙ୍କା

    Share on :
    ajab-Image
    Date: Feb 15, 2026    Views: 3220

    କଲମ୍ବୋ: ଭାରତ-ପାକିସ୍ତାନ ହେଉଛି କ୍ରିକେଟ୍‌ ପଡ଼ିଆରେ ସବୁଠାରୁ ବଡ଼ ମୁକାବିଲା। କୌଣସି ବିଶ୍ବକପ୍‌ର ଫାଇନାଲ ଅପେକ୍ଷା ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ କ୍ରିକେଟ୍‌ ଜଗତ ଅପେକ୍ଷା କରିଥାଏ। ତେବେ ଭାରତ ବିପକ୍ଷରେ ପାକିସ୍ତାନ ଟ୍ବେଣ୍ଟି୨୦ ବିଶ୍ବକପ୍‌ ମ୍ୟାଚ୍‌ ଖେଳିବ ନାହିଁ ବୋଲି ପାକିସ୍ତାନ ସରକାରଙ୍କ ଘୋଷଣା ପରେ ବିଶ୍ବର କ୍ରିକେଟ୍‌ପ୍ରେମୀ ସ୍ତବ୍‌ଧ ହୋଇ ଯାଇଥିଲେ। ହେଲେ ବିବାଦର ସମାଧାନ ପରେ ଆଜି ଆର୍. ପ୍ରେମଦାସା ଷ୍ଟାଡିୟମ୍‌ରେ ଭାରତ-ପାକିସ୍ତାନ ମୁକାବିଲା ହେବ। ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ଦୁନିଆରେ ଉତ୍କଣ୍ଠା ଓ ଉତ୍ସାହ ବଢ଼ିବାରେ ଲାଗିଛି। ଅଦ୍ୟାବଧି ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଛି। ଏଥିରୁ ଭାରତ ୭ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ମାତ୍ର ଗୋଟିଏ ଜିତିଛି। ତେଣୁ ଏଥର ମଧ୍ୟ ଭାରତ ପ୍ରାଧାନ୍ୟ ବିସ୍ତାର କରିବାର ପ୍ରୟାସ କରିବ। ପୁଣି ଉଭୟ ଦଳ ସେମାନଙ୍କ ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ରବିବାର ଜିତିଲେ ସୁପର ଏଇଟ୍‌ସ ଖେଳିବା ନିଶ୍ଚିତ କରିବେ। ଉଭୟ ଦଳଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ବନ୍ଦହେବା ପରେ ୨୦୧୪ରୁ ଅଦ୍ୟାବଧି ଉଭୟ ଦଳ ୧୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ପାକିସ୍ତାନ ମାତ୍ର ୨ଟି ଜିତିଛି। ଗତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ୩ଟିଯାକ ମ୍ୟାଚ୍‌ ଜିତିଛି।

    ଅନ୍ୟପକ୍ଷରେ ପାକିସ୍ତାନର ସଦ୍ୟତମ ଟ୍ବେଣ୍ଟି୨୦ ରେକର୍ଡ ବହୁତ ଭଲ। ଗତ ୧୪ଟି ମ୍ୟାଚ୍‌ରୁ ଏହା ମାତ୍ର ୨ଟି ହାରିଛି। ପୁଣି ଏହି ବିଶ୍ବକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ପରି ଦଳ ବିପକ୍ଷରେ ୩-୦ରେ ପାକିସ୍ତାନ ଟି୨୦ ଶୃଙ୍ଖଳା ପୋଛିଛି। ତଥାପି ଏହା ତୁଳନାରେ ଭାରତର ଟ୍ବେଣ୍ଟି୨୦ ରେକର୍ଡ ବହୁତ ଭଲ। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବା ପରେ ଭାରତ କ୍ରମାଗତ ୮ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଛି। ଭାରତ ୩୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତି ମାତ୍ର ୬ଟି ହାରିଛି। ହେଲେ ମ୍ୟାଚ୍‌ ଦିନ ଏପରି ରେକର୍ଡର କମ୍ ଗୁରୁତ୍ବ ଥାଏ। ଉକ୍ତ ଦିନ ଯେଉଁ ଦଳ ଭଲ ଖେଳେ; ତା’ରି ହିଁ ଜିତାପଟ ହୋଇଥାଏ। ଚଳିତ ବିଶ୍ବକପ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷ​‌େ​‌ର ପାକିସ୍ତାନ ମ୍ୟାଚ୍‌ ହାରୁହାରୁ ଜିତିଛି। ୨ ଓଭରରୁ ୨୯ ରନ୍‌ ଆବଶ୍ୟକ ଥିବା ବେଳେ ୧୯ଶ ଓଭରରେ ଫହିମ୍‌ ଅସ୍ରଫ୍‌ ୨୪ ରନ୍‌ ମାରିବାରୁ ପାକିସ୍ତାନ ଜିତିଥିଲା। ୨ୟ ମ୍ୟାଚ୍‌ରେ ଏହା ଆମେରିକାକୁ ସହଜରେ ୩୨ ରନ୍‌ରେ ପରାସ୍ତ କରିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକା ବିପକ୍ଷରେ ୭୭ ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା।
    ଅଧିନାୟକ ସୁର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ମ୍ୟାଚ୍‌ ବିଜୟୀ ସ୍କୋର୍‌ କରିଥିଲା। ତେବେ ନାମିବ୍ୟା ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଛି। ନିକଟରେ ପାକିସ୍ତାନ ବିପକ୍ଷରେ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଛନ୍ତି ହାର୍ଦିକ ପାଣ୍ଡ୍ୟା। ପୁଣି ଏସିଆ କପ୍‌ରେ ପାକିସ୍ତାନୀ ଓପ୍‌ନର ସାହେବଜାଦା ଫର୍‌ହାନ ପ୍ରଥମ ମ୍ୟାଚ୍‌ରେ ୪୦ ଏବଂ ଅନ୍ୟ ଦୁଇଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଯଶପ୍ରୀତ ବୁମ୍‌ରାଙ୍କ ବିପକ୍ଷରେ ଫର୍‌ହାନ ୧୫୦ ଆଭ୍‌ରେଜରେ ରନ୍‌କରି ଥରେ ମଧ୍ୟ ଆଉଟ୍‌ ହୋଇନାହାନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ଫର୍‌ହାନ ୪୭ ଓ ୭୩ ରନ୍‌ କରିଛନ୍ତି। ଅଭିଷେକ ଶର୍ମା ସୁସ୍ଥହୋଇ ଏହି ମ୍ୟାଚ୍‌ ଖେଳିବେ। କଲମ୍ବୋରେ ବଲ୍‌ ସ୍ପିନ୍ କରିବାର ଥିବାରୁ ଅର୍ଶଦୀପ ସିଂହଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ୱାଶିଂଟନ ସୁନ୍ଦର ଖେଳିପାରନ୍ତି।

    ପାକିସ୍ତାନ ୩ ସ୍ପିନର- ଅବ୍ରାର ଅହମ୍ମଦ, ମହମ୍ମଦ ନୱାଜ୍‌ ଓ ଉସ୍‌ମାନ ତାରିକଙ୍କୁ ଖେଳାଇବ। ଓପ୍‌ନର ସୈମ୍‌ ଆୟୁବ ମଧ୍ୟ ଉପଯୋଗୀ ସ୍ପିନର। ଅଭିଜ୍ଞ ବାବର ଆଜମ୍‌ ଭଲ ବ୍ୟାଟିଂ କରୁଥିଲେ ହେଁ ତାଙ୍କୁ ଷ୍ଟ୍ରାଇକ୍‌ରେଟ ବଢ଼ାଇବାକୁ ପଡ଼ିବ। ପୁଣି ଉସ୍‌ମାନ ଖାଁଙ୍କ ସ୍ଥାନରେ ପାକିସ୍ତାନ ଫଖର ଜମାନ୍‌ଙ୍କୁ ଖେଳାଇପାରେ। ଫଳର ଫର୍‌ହାନ ୱିକେଟ୍‌ ରକ୍ଷଣ କରିବେ। ଶନିବାର ଭାରତ ଅଭ୍ୟାସ କରିଥିବା ବେଳେ ସନ୍ଧ୍ୟାରେ କଲମ୍ବୋରେ ବର୍ଷା ହୋଇଛି। ରବିବାର ମଧ୍ୟ ବର୍ଷାର ସମ୍ଭାବନା ରହିଛି। ପିଚ୍‌ରେ ଅଳ୍ପ ଘାସ ଥିବାରୁ ଅଧିକ ରନ୍‌ ହୋଇପାରେ। ପାକିସ୍ତାନ ସମସ୍ତ ମ୍ୟାଚ୍‌ କଲମ୍ବୋରେ ଖେଳୁଥିବାରୁ ଏହାକୁ ଫାଇଦା ମିଳିବ।

    Maximum 500 characters

    ଖେଳ ଖବର View all

    Find Us on Facebook