Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ପାଳିତ ହେବ ‘ସ୍ୱଚ୍ଛତା ହି ସେବା ୨୦୨୬’

    Share on :
    ajab-Image
    Date: Sep 11, 2026    Views: 3644

    ସମାଜର ସମସ୍ତ ବର୍ଗର ସକ୍ରିୟ ଅଂଶଗ୍ରହଣ ପାଇଁ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ
     ସ୍ୱଚ୍ଛତା, ପରିମଳ, ସଫେଇ କର୍ମଚାରୀଙ୍କ ସମ୍ମାନ ଓ ସମାବେଶୀ ସହରୀ ଜୀବନ ଉପରେ ଗୁରୁତ୍ୱ
    ଭୁବନେଶ୍ୱର: ଓଡ଼ିଶାରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସ୍ୱଚ୍ଛତା ହି ସେବା’ -୨୦୨୬ ଅଭିଯାନ ପାଳିତ ହେବ। ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ, ସ୍ୱଚ୍ଛତା ଓ ପରିମଳ, ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ଏବଂ ସ୍ଥାୟୀ ସହରୀ ଜୀବନଯାତ୍ରାକୁ ଏହି ଅଭିଯାନରେ ପ୍ରାଥମିକତା ଦିଆଯିବ।
    ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଳନ ସମ୍ପର୍କରେ ଆଜି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଏସବିଏମ (ସହରାଞ୍ଚଳ) ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
    ବୈଠକ ପରେ  ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମର କମିଶନର ଏବଂ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଅଭିଯାନର ସଫଳ, ସମନ୍ୱିତ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
    ଏହି ଅବସରରେ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ସ୍ୱଚ୍ଛତା ହି ସେବା ପାଇଁ ଓଡ଼ିଶାର ପ୍ରସ୍ତୁତି ଶେଷ ହୋଇଛି ଏବଂ କେନ୍ଦ୍ରର ସମସ୍ତ ମାର୍ଗଦର୍ଶିକାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବ । ଓଡ଼ିଶାରେ ଏକ କୋଟି ଦୀପ ପ୍ରଜ୍ୱଳନ ପାଇଁ ମଧ୍ୟ ଯୋଜନା କରାଯାଇଛି, ଯେଉଁଥିରେ ପ୍ରତି ଜିଲ୍ଲାର ପ୍ରତିଟି ପରିବାରକୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପରିମଳ ଓ ସଫେଇ କାର୍ଯ୍ୟ ସହ ଜଳାଶୟଗୁଡ଼ିକର ବିକାଶ କାର୍ଯ୍ୟ ହାତକୁ ନେବ। ସେହିପରି,  ବିଭାଗ ସହରାଞ୍ଚଳରେ ଏହିଭଳି କାର୍ଯ୍ୟକ୍ରମ କରିବ । କାର୍ଯ୍ୟ ପୂର୍ବରୁ ଓ ପରେ ଥିବା ସ୍ଥିତିକୁ ଭିଡିଓ ଜରିଆରେ ରେକର୍ଡ କରାଯାଇ ପରିବର୍ତ୍ତନକୁ ପ୍ରଦର୍ଶିତ କରାଯିବ। ଆମକୁ ମିଳିଥିବା ସମସ୍ତ ନିର୍ଦ୍ଦେଶକୁ ତାହାର ପ୍ରକୃତ ଭାବନାରେ ସଫଳତାର ସହ କାର୍ଯ୍ୟକାରୀ କରାଯିବ ।”
    ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ “ସ୍ୱଚ୍ଛତା ମେଁ ସହଭାଗ, ସ୍ୱଚ୍ଛ ଭାରତ, ବିକଶିତ ଭାରତ” ମୂଳମନ୍ତ୍ରକୁ ଆଧାର କରି ଏହି ଅଭିଯାନ ପାଳିତ ହେବ । ନାଗରିକ, ସରକାରୀ ସଂସ୍ଥା, ଜନପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏଥିରେ ସକ୍ରିୟ ଭାବେ ସାମିଲ କରାଯିବ ।
    ଏହି ଅଭିଯାନ ପାଞ୍ଚଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ ହେବ। ସ୍ୱଚ୍ଛତା ଲକ୍ଷ୍ୟ ଏକକ  ଏବଂ ଅଳିଆ ଆବର୍ଜନା ପଡ଼ୁଥିବା ସ୍ଥାନ ଗୁଡ଼ିକର ଚିହ୍ନଟ ଓ ସମୟୋଚିତ ରୂପାନ୍ତରଣ; ‘ସ୍ୱଚ୍ଛତା ଜ୍ଞାନ ଯାତ୍ରା’ ଓ ‘ସ୍ୱଚ୍ଛତା ସମ୍ବାଦ’ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଅଂଶଗ୍ରହଣ; ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ସଂଯୋଗ ପାଇଁ ‘ସଫାଇମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର’; ଶୂନ୍ୟ-ବର୍ଜ୍ୟବସ୍ତୁ କ୍ରୀଡ଼ା ଓ ପରିବେଶ ଅନୁକୂଳ ଉତ୍ସବ ମାଧ୍ୟମରେ ଜନଭାଗିଦାରୀ; ଏବଂ ‘ସ୍ୱଚ୍ଛତା ସେ ସମୃଦ୍ଧି’ ଅଧୀନରେ ବର୍ଜ୍ୟବସ୍ତୁରୁ କଳା, ବର୍ଜ୍ୟବସ୍ତୁରୁ ସମ୍ପଦ  ଭଳି ଅର୍ଥନୀତି  ଅଭ୍ୟାସକୁ ପ୍ରୋତ୍ସାହନ ଦିଆଯିବ ।
    ଚିହ୍ନଟ ହୋଇଥିବା ସ୍ଥାନ ଏବଂ ଅଳିଆ ପଡ଼ୁଥିବା ଅଞ୍ଚଳଗୁଡ଼ିକରେ ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଓ ନିରନ୍ତର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବାକୁ ପୌରାଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି, ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସହିତ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
    ନାଗରିକ, ଜନପ୍ରତିନିଧି, ସରକାରୀ କର୍ମଚାରୀ, ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ ସଂଗଠନଗୁଡ଼ିକୁ ଏକାଠି କରି ସ୍ୱଚ୍ଛତା କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୧ ତାରିଖରେ ରାଜ୍ୟସ୍ତରୀୟ “ଏକ ଦିନ, ଏକ ଘଣ୍ଟା, ଏକ ସାଥ୍” ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
    ଅକ୍ଟୋବର ୨ ତାରିଖରେ ‘ସ୍ୱଚ୍ଛ ଭାରତ ଦିବସ’ ପାଳନ ସହ ଅଭିଯାନର ଉଦ୍‌ଯାପନ ହେବ। ସ୍ଥାୟୀ ପରିମଳ ଓ ଉନ୍ନତ ସହରୀ ଜୀବନ ପ୍ରତି ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଲାଗି ପୌରାଞ୍ଚଳ ପରିଷଦର ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହେବ ।
    ବ୍ୟାପକ ଜନସଚେତନତା ସୃଷ୍ଟି ଓ ଅଭିଯାନର ସଫଳତା ପାଇଁ ଉପଲବ୍ଧ  ଏସ୍ ବି ଏମ୍  (ସହରାଞ୍ଚଳ)  ୨.୦ ଆଇସି ପାଣ୍ଠି କିମ୍ବା ନିଜସ୍ୱ ସମ୍ବଳ ବ୍ୟବହାର କରି ଏକ ଦୃଢ଼ ୩୬୦-ଡିଗ୍ରୀ ସୂଚନା, ଶିକ୍ଷା ଓ ଯୋଗାଯୋଗ  ଯୋଜନା ପ୍ରସ୍ତୁତ କରିବାକୁ  ପୌରସଂସ୍ଥା ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
    ଏହି ଅଭିଯାନ ସ୍ୱଚ୍ଛତାକୁ ସମସ୍ତଙ୍କର ମିଳିତ ଦାୟିତ୍ୱ ଭାବେ ପ୍ରତିଷ୍ଠିତ କରିବା ସହ ଏକ ସ୍ୱଚ୍ଛ, ସୁସ୍ଥ, ସମାବେଶୀ ଓ ସ୍ଥାୟୀ ସହରୀ ଓଡ଼ିଶା ଗଠନ ପାଇଁ ନିରନ୍ତର ଜନଭାଗିଦାରୀର ଗୁରୁତ୍ୱକୁ ଆହୁରି ଦୃଢ଼ କରିବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook